ଆଜି ବିଶ୍ୱ ହସ୍ତୀ ଦିବସ,

ଆଜି ବିଶ୍ୱ ହସ୍ତୀ ଦିବସ । ନନ୍ଦନକାନନରେ ମହାସମାରୋହରେ ହସ୍ତୀ ଦିବସ ପାଳିତ ହେବ । ଏଥିପାଇଁ ପ୍ରାଣୀ ଉଦ୍ୟାନରେ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଲୁପ୍ତି ଆଶଙ୍କାରେ ଥିବା ଗଜରାଜଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ହାତୀ-ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ହସ୍ତୀ ଦିବସ ପାଳନର ଚିନ୍ତାଧାରା ୨୦୧୧ ମସିହାରେ ଆସିଥିଲା । ୨୦୧୨ ଅଗଷ୍ଟ ୧୨ରେ ପ୍ରଥମଥର ପାଇଁ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଥିଲା । ଓଡ଼ିଶାରେ ମଧ୍ୟ ବିଶ୍ୱ ହସ୍ତୀ ଦିବସର ବିଶେଷ ମହତ୍ତ୍ୱ ରହିଛି। ପ୍ରତିବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପର୍ଯ୍ୟଟକ, ବନ୍ୟପ୍ରାଣୀ ପ୍ରେମୀ, ସ୍କୁଲ୍‌ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇ ହାତୀ ସୁରକ୍ଷାର ବାର୍ତ୍ତା ଦିଆଯାଏ ।

ଏବେ ନନ୍ଦନକାନନରେ ୪ଟି ହାତୀ ରହିଛନ୍ତି । ବଡ଼ ହାତୀ ମଧ୍ୟରେ ହୀରା ଓ ବାସନ୍ତୀ ଏବଂ ଛୋଟ ହାତୀ ମଧ୍ୟରେ ଆଶା ଓ ନିଶା ରହିଛନ୍ତି l ଏହି ଦିବସ ଅବସରରେ ନନ୍ଦନକାନନରେ ଆଜି ହାତୀ ମାନଙ୍କୁ ଗାଧୋଇ ଦିଆଯିବ। ସେମାନଙ୍କୁ ବିଭିନ୍ନ ଫଳମୂଳ ସେଓ, କଦଳୀ, ଆଖୁ, ତରଭୁଜ ଆଦି ଖାଇବାକୁ ଦିଆଯିବ। ସମସ୍ତ ମାହୁନ୍ତଙ୍କୁ ପୁରସ୍କୃତ କରାଯିବ । ଏଥିସହ ହାତୀ ମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ହେଲେ ହାତୀ ଏକ ବନ୍ୟପ୍ରାଣୀ ହୋଇଥିବାରୁ ଅଧିକ ଭିଡ଼, କୋଳାହଳ କିମ୍ବା ଉତ୍ସବମୁଖର ପରିବେଶରେ ସେମାନଙ୍କୁ ଆଣିବା ଉପରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କଟକଣା ରହିଛି । ସେଥିପାଇଁ ଗତ ତିନି ବର୍ଷ ଧରି ନନ୍ଦନକାନନ ପରିସରର ହାତୀଶାଳରେ ହିଁ ହସ୍ତୀ ଦିବସ ପାଳନ ହେଉଛି । ଏଠାରେ ହାତୀମାନଙ୍କୁ ଫଳ ଖୁଆଯାଉଥିବା ବେଳେ ମାହୁନ୍ତମାନଙ୍କୁ ପୁରସ୍କୃତ କରାଯାଏ । ଦର୍ଶକମାନେ ଦୂରରୁ ହାତୀମାନଙ୍କୁ ଦେଖିବା ସହ ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇଥାନ୍ତି । ପରେ ସଭାଗୃହରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ସେହିପରି ଭାବେ ହସ୍ତୀ ଦିବସ ପାଳନ ହେବ।

Leave a comment