କଳିଙ୍ଗ ଷ୍ଟାଡିୟମ୍ରେ ଚଳିତ ଅଗଷ୍ଟ ୨୨ରେ ଅନୁଷ୍ଠିତ ହେବ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ପ୍ରତିଯୋଗିତା
ଭାରତରେ ପ୍ରଥମଥର ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ପ୍ରତିଯୋଗିତା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଚଳିତ ଅଗଷ୍ଟ ୨୨ରେ ଅନୁଷ୍ଠିତ ହେବ। ଏଥିରେ ମୋଟ୍ ୧୮ଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ବିଶ୍ବ ଦୌଡ଼କୁଦ ସଂଘ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ରେ ଗତ ୨୦୨୫ ଅଗଷ୍ଟରେ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏକ ବର୍ଷ ପରେ ପୁଣି ଉକ୍ତ ଭେନ୍ୟୁରେ ସିଲ୍ଭର ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥିରେ ପୁରୁଷ ଓ ମହିଳାରେ ୯ଟି ଲେଖାଏଁ କରି ମୋଟ ୧୮ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ପୁରୁଷରେ ୧୦୦, ୨୦୦, ୪୦୦, ୮୦୦ ଓ ୫୦୦୦ ମିଟର ଦୌଡ଼ ସହ ୧୧୦ ମିଟର ବାଧାଦୌଡ଼, ହାଇଜମ୍ପ, ଲଙ୍ଗ୍ଜମ୍ପ, ସଟ୍ପୁଟ ଓ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମହିଳାରେ ୧୦୦, ୪୦୦, ୧୫୦୦, ୫୦୦୦ ମିଟର ଦୌଡ଼, ୧୦୦ ମିଟର ବାଧାଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, ଡିସକସ ଥ୍ରୋ ଓ ଜାଭେଲିନ ଥ୍ରୋ ଆଦି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସିଲଭର ସ୍ତରୀୟ ପ୍ରତିଯୋଗିତାରେ ବିଶ୍ବସ୍ତରର ବି ଗ୍ରେଡ୍ ଆଥ୍ଲେଟମାନେ ଏଥିରେ ଭାଗନେବେ;ଯାହାକି ଉକ୍ତ ପ୍ରତିଯୋଗିତାର ଗୁରୁତ୍ବକୁ ବଢ଼ାଇଛି। ମୋଟ୍ ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରହିଛି। ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭରସ୍ତରୀୟ ପ୍ରତିଯୋଗିତା ଆସନ୍ତ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନରେ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଆଥ୍ଲେଟଙ୍କ ଅଭ୍ୟାସରେ ସହାୟକ ହେବ। ପ୍ରତିଯୋଗିତାରେ ଭାରତୀୟଙ୍କ ମଧ୍ୟରେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜାଭେଲିନରେ କାଂସ୍ୟ ବିଜେତା ଯଶବୀର ସିଂହ, ଲଙ୍ଗ୍ଜମ୍ପ୍ରେ ରୌପ୍ୟ ବିଜେତା ମୂରଲୀ ଶ୍ରୀଶଙ୍କର, ହାଇଜମ୍ପରେ ରୌପ୍ୟ ବିଜେତା ସର୍ବେଶ କୁସାରେ, ୧୦ ହଜାର ମିଟର ଦୌଡ଼ରେ କାଂସ୍ୟ ବିଜେତା ଗୁଲବୀର ସିଂହ,ମହିଳା ଡିସ୍କସ ଥ୍ରୋରେ କାଂସ୍ୟ ବିଜେତା ସୀମା କାଲିରାମନା ପ୍ରମୁଖ ଭାଗନେବେ। ଅଗଷ୍ଟ ୨୧ରେ ଲାଓସାନେ ଡାଏମଣ୍ଡ ଲିଗ୍ ରହିଥିବାରୁ ଭାରତର ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା, ପାକିସ୍ତାନର ଅର୍ଶଦ ନଦିମ ଓ ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପାଥିରାଗେ ପ୍ରମୁଖ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ। କଳିଙ୍ଗ ଷ୍ଟାଡିୟମ୍ରେ ୨୦୨୮ ଜାନୁଆରୀରେ ଏସୀୟ ଇନଡୋର ଦୌଡ଼କୁଦ ପ୍ରତିଯୋଗିତା ଓ ମାର୍ଚ୍ଚ ୩ରୁ ୫ ପର୍ଯ୍ୟନ୍ତ ବିଶ୍ବ ଦୌଡ଼କୁଦ ଇନଡୋର ଚମ୍ପିଆନସିପ୍ ଆୟୋଜିତ ହେବ। ଏହା ପୂର୍ବରୁ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ପ୍ରତିଯୋଗିତା ପ୍ରସ୍ତୁତିରେ ସହାୟକ ହେବ। ବିଶ୍ବ ଦୌଡ଼କୁଦ ସଂଘ, ଭାରତୀୟ ଦୌଡ଼କୁଦ ସଂଘ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଉକ୍ତ ପ୍ରତିଯୋଗିତା ଆୟୋଜିତ ହେବ।