ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା,ଦଳରେ ତିନି ଜଣ ଓଡ଼ିଆ ଖେଳାଳି
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଅଧିନାୟକ ହରମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ ଏବଂ ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କ ପରି ଏକାଧିକ ବରିଷ୍ଠ ଖେଳାଳିଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି। ବହୁତ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଦଳରେ ତିନି ଜଣ ଓଡ଼ିଆ ଖେଳାଳି ରହିଛନ୍ତି। ସେମାନେ ହେଲେ ନିଲମ୍ ସଞ୍ଜୀପ ଖେସ୍, ଅନ୍ମୋଲ ଏକ୍କା ଓ ରୋଷନ କୁଜୁର। ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ନଭେମ୍ବର ୧୯, ୨୧ ଓ ୨୨ରେ ଖେଳାଯିବ। ଏହି ଯୁବ ଦଳର ନେତୃତ୍ବ ନେବେ ସଞ୍ଜୟ। ଗତ ତିନି ମାସ ମଧ୍ୟରେ ଭାରତୀୟ ବରିଷ୍ଠ ଦଳ ବିଶ୍ବକପ୍, ଏସୀୟ କ୍ରୀଡ଼ା ଓ ଏସିଆନ୍ ଚାମ୍ପିଅାନ୍ସ ଟ୍ରଫି ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲା। ତେଣୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ୧୯୨୬ରେ ମହାନ ହକି ଖେଳାଳି ମେଜର୍ ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା। ଏହାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି ଗସ୍ତ ଆୟୋଜନ କରାଯାଉଛି। ସୋମବାର ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଦଳ ଘୋଷଣା କରାଯାଇଛି। ଏଥିରେ ୨୧ ବର୍ଷରୁ କମ୍ ଓ ଭାରତ ‘ଏ’ ଦଳର ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ଗସ୍ତ ଯୁବ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ହାସଲର ସୁଯୋଗ ଦେବ।
ଭାରତୀୟ ଦଳ: ମୋହିତ ଏଚ୍.ଏସ୍., ପୱନ, ତାଲେମ ପ୍ରିୟୋବର୍ତ୍ତା, ଅଧିନାୟକ ସଞ୍ଜୟ, ନୀଲମ ସଞ୍ଜୀପ ଖେସ୍, ଶାରଦା ନନ୍ଦ ତିୱାରୀ, ଅନ୍ମୋଲ ଏକ୍କା, ଯଶଦୀପ ସିୱାଚ୍, ଅଙ୍ଗଦ ବୀର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ରବିଚନ୍ଦ୍ର ସିଂହ, ବିଷ୍ଣୁକାନ୍ତ ସିଂହ, ମନମୀତ ସିଂହ, ରୋଶନ କୁଜୁର, ଭେଙ୍କଟେଶ କେଞ୍ଚେ, ଅଜିତ ଯାଦବ, ଉତ୍ତମ ସିଂହ, କାର୍ତ୍ତି ସେଲଭମ୍, ଅର୍ଶଦୀପ ସିଂହ ଓ ଅରାଇଜିତ ସିଂହ ହୁଣ୍ଡାଲ।