୨୦୨୬ ଏସୀୟ କ୍ରୀଡ଼ା: ଜାପାନକୁ ୮ ୱିକେଟ୍ରେ ପରାସ୍ତ କରି ଭାରତ ସେମିଫାଇନାଲରେ
୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଦମଦାର ପ୍ରଦର୍ଶନ। କ୍ୱାର୍ଟର ଫାଇନାଲରେ ଜାପାନକୁ ୮ ୱିକେଟ୍ରେ ପରାସ୍ତ କରି ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ଜାପାନ ଭାରତୀୟ ବୋଲରଙ୍କ ସାମ୍ନାରେ ବଡ଼ ସ୍କୋର କରିପାରିନଥିଲା। ୧୯.୫ ଓଭରରେ ମାତ୍ର ୫୭ ରନ୍ରେ ଜାପାନର ପୂରା ଦଳ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଶ୍ରୀ ଚରଣୀ ସର୍ବାଧିକ ୪ ୱିକେଟ୍ ନେଇ ଜାପାନର ବ୍ୟାଟିଂ ଲାଇନ୍ଅପ୍କୁ ଧ୍ୱଂସ କରିଥିଲେ। ଶେଫାଲି ବର୍ମା ୨ଟି, ଦୀପ୍ତି ଶର୍ମା ଓ ଶ୍ରେୟଙ୍କା ପାଟିଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।ଜାପାନର ଦୁଇ ବ୍ୟାଟର ରନ୍ଆଉଟ୍ ହୋଇଥିଲେ।ଆରମ୍ଭରୁ ଜାପାନର ଖେଳାଳିମାନଙ୍କୁ ଭାରତୀୟ ବୋଲରମାନେ ଚାପ ସୃଷ୍ଟି କରିଥିଲେ। ୬.୨ ଓଭରରେ ଶ୍ରୀ ଚରଣୀ ହାରୁଣା ଇୱାସାକିଙ୍କୁ ଶେଫାଲି ବର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୨ ଓଭରରେ ଦୀପ୍ତି ଶର୍ମା ଏରିକା ଓଡାଙ୍କୁ ୫ ରନ୍ରେ ଆଉଟ୍ କରିଥିଲେ। ଏହାପରେ ଶେଫାଲି ବର୍ମା ଆୟାକା କାଟୋ-ଷ୍ଟାଫୋର୍ଡଙ୍କୁ ୨୫ ରନ୍ରେ ଆଉଟ୍ କରିଥିଲେ। ଜାପାନର ଇନିଂସ୍ ଶେଷ ଆଡ଼କୁ ଲଗାତାର ୱିକେଟ୍ ହରାଇଥିଲା। ଶେଷରେ ୫୭ ରନ୍ରେ ଦଳର ଇନିଂସ୍ ଶେଷ ହୋଇଥିଲା।୫୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର ୪.୨ ଓଭରରେ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।ଓପନର ଶେଫାଲି ବର୍ମା ଅପରାଜିତ ୪୦ ରନ୍ର ଦ୍ରୁତ ଇନିଂସ୍ ଖେଳି ଭାରତକୁ ସହଜ ବିଜୟ ଦେଇଥିଲେ।ତେବେ ଭାରତୀୟ ଇନିଂସ୍ ଆରମ୍ଭରୁ ଦୁଇଟି ୱିକେଟ୍ ହରାଇଥିଲା। ୧.୨ ଓଭରରେ ଜି. କମଲିନି ଖାତା ଖୋଲିନପାରି ଆଉଟ୍ ହୋଇଥିଲେ। ପରେ ୨.୪ ଓଭରରେ ଭାରତୀ ଫୁଲମାଲି ୬ ରନ୍ରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଶେଫାଲି ଦ୍ରୁତ ରନ୍ ସଂଗ୍ରହ କରି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ।ଏହି ବିଜୟ ସହ ଭାରତ ୨୦୨୩ ଏସୀୟ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା ଭାବେ ନିଜ ଅଭିଯାନକୁ ଆହୁରି ମଜବୁତ କରିଛି। ସେହିପରି ନିକଟରେ ଭାରତ ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏସୀୟ କ୍ରୀଡ଼ାରେ ମଧ୍ୟ ଦଳଠାରୁ ଭଲ ପ୍ରଦର୍ଶନର ଆଶା ବଢ଼ିଛି।