ହେଣ୍ଟାଭାଇରସ୍ କ’ଣ ଓ କେତେ ବିପଦପୂର୍ଣ୍ଣ?ଏହା ଉପରେ କଡ଼ା ନଜର ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ବିଶ୍ୱ ଏବେ ଏବେ କରୋନା କବଳରୁ ମୁକ୍ତ ହେଉଥିବା ବେଳେ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି । ଦକ୍ଷିଣ ଆଟ୍ଲାଣ୍ଟିକ୍ରେ କ୍ରୁଜ୍ ଶିପ୍ରେ ହଣ୍ଟାଭାଇରସ୍ ବ୍ୟାପିବା ଏବଂ ଏହା ଯୋଗୁ ୩ ଜଣଙ୍କ ମୃତୁ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ପଡ଼ିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହା ଉପରେ କଡ଼ା ନଜର ରଖିଛି । ‘ହୁ’ର ପୂର୍ବ ବୈଜ୍ଞାନିକ ଏବଂ ଆଇସିଏମ୍ଆର୍ର ଡାଇରେକ୍ଟ ଜେନେରାଲ ଡା. ସୌମ୍ୟା ସ୍ୱାମୀନାଥନ ଏହି ବିପଦ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଏହା କୌଣସି ନୂଆ ମହାମାରୀ ହେବ ନାହିଁ । କାରଣ ଏହାର ବ୍ୟାପିବା ତରିକା କରୋନାଠୁ ଖୁବ୍ ଭିନ୍ନ ।
ହେଣ୍ଟାଭାଇରସ୍ କ’ଣ ଓ କେତେ ବିପଦପୂର୍ଣ୍ଣ?
ହଣ୍ଟାଭାଇରସ୍ ସାଧାରଣତଃ ମୂଷା ଦ୍ୱାରା ମଣିଷକୁ ବ୍ୟାପିଥାଏ । କିନ୍ତୁ ଆଣ୍ଡିଜ ଷ୍ଟ୍ରେନ୍ ଏହାର ଏଭଳି ଏକ ପ୍ରକାର, ଯାହା ମଣିଷରୁ ମଣିଷକୁ ବ୍ୟାପିପାରେ । କ୍ରୁଜ୍ ଶିପ୍ରେ ୧୧ ଜଣ ହେଣ୍ଟାଭାଇରସ୍ ଦ୍ୱାରା ସଂକ୍ରମିତ ଜଣାପଡ଼ିଲେ । ତନ୍ମଧ୍ୟରୁ ୩ ଜଣ ପ୍ରାଣ ହରାଇଛନ୍ତି। ଜାହାଜ ଏବେ ସ୍ପେନ୍ର କାନାରି ଦ୍ୱୀପରେ ରହିଛି ଏବଂ ସଂକ୍ରମିତଙ୍କୁ ଅଲଗା ରଖାଯାଇଛି । ଏହି ଭାଇରସ୍ର ମୃତ୍ୟୁ ହାର ୨୦-୪୦ ପ୍ରତିଶତ, ଯାହା ବିପଦପୂର୍ଣ୍ଣ । ସୂଚନାଯୋଗ୍ୟ, କରୋନାର ମୃତ୍ୟୁ ହାର ୧ ପ୍ରତିଶତଠୁ ମଧ୍ୟ କମ୍ ଥିଲା । ୨୦-୪୦ ପ୍ରତିଶତ ମୃତ୍ୟୁ ହାର ଏହାକୁ ଇବୋଲା ଭଳି ବିଭାଗରେ ଶ୍ରେଣୀଭୁକ୍ତ କରେ ।
କେମିତି ଜାଣିବେ ଲକ୍ଷଣ?
ସାଧାରଣତଃ ସଂକ୍ରମିତ ମୂଷାର ମଳମୂତ୍ର କିମ୍ବା ଲାଳ ସଂସ୍ପର୍ଶରେ ଆସିବା ଦ୍ୱାରା ହେଣ୍ଟାଭାଇରସ୍ ବ୍ୟାପେ । ତେବେ ଏଥର ଆଣ୍ଡିଜ ଭାଇରସ୍ ଷ୍ଟ୍ରେନ୍ ବିଷୟରେ ଜଣାପଡ଼ିଛି । ଦକ୍ଷିଣ ଆମେରିକାରେ ଚିହ୍ନଟ ଏହି ଷ୍ଟ୍ରେନ୍ ସୀମିତ ପରିସ୍ଥିତିରେ ମଧ୍ୟ ଜଣେ ବ୍ୟକ୍ତିଠୁ ଅନ୍ୟ ଜଣଙ୍କୁ ବ୍ୟାପିପାରେ । କ୍ରୁଜ୍ ଶିପ୍ରେ ସଂକ୍ରମଣ ବ୍ୟାପିବାର ଏହା ମୁଖ୍ୟ କାରଣ ବୋଲି କୁହାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ହେଣ୍ଟାଭାଇରସ୍ର ଲକ୍ଷଣ ପ୍ରାରମ୍ଭରେ ସାଧାରଣ ଫ୍ଲୁ ଭଳି ମନେହୁଏ । ସେଥିପାଇଁ ଏହାକୁ ଚିହ୍ନିବା ମୁସ୍କିଲ । ଏଥିରେ ମାଂସପେଶୀରେ ଯନ୍ତ୍ରଣା, ଥଣ୍ଡା ଲାଗିବା ଓ ପେଟ ସମସ୍ୟା ହୋଇପାରେ । ସଂକ୍ରମଣ ବଢ଼ିବା ଦ୍ୱାରା ଏହା ଫୁସ୍ଫୁସ୍କୁ ପ୍ରଭାବିତ କରେ, ଫଳରେ ଶ୍ୱାସକ୍ରିୟାରେ ସମସ୍ୟା ହୁଏ । ଏହାର ମୃତ୍ୟୁ ହାର ବହୁତ ଅଧିକ ହୋଇଥିବାରୁ ଠିକ୍ ସମୟରେ ଚିକିତ୍ସା ଜରୁରି ।
ହେବ କି ନୂଆ ମହାମାରୀ?
‘ହୁ’ର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଆଡ୍ମନ୍ ଘେବ୍ରେସିୟସ ସ୍ପଷ୍ଟ କରିଛନ୍ତି, ଏହା କରୋନା ଭଳି ସ୍ଥିତି ନୁହେଁ । ସାଧାରଣ ଲୋକଙ୍କ ପାଇଁ ଏହା ଖୁବ୍ କମ୍ ବିପଦପୂର୍ଣ୍ଣ । ଲୋକେ କୋଭିଡ୍ ସହ ହଣ୍ଟାଭାଇରସ୍ର ତୁଳନା ନ କରନ୍ତୁ । ଏହି ଭୂତାଣୁ ଯୋଗୁ ଜନସ୍ୱାସ୍ଥ୍ୟ ଉପରେ ବିପଦ ଆଶଙ୍କା ଏବେ କମ୍ । ଏ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ । ସଂକ୍ରମଣ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜାହାଜରେ ଏବେ କୌଣସି ଯାତ୍ରୀଙ୍କଠାରେ ଏହାର ଲକ୍ଷଣ ଦେଖାଯାଉ ନାହିଁ ।
ପ୍ରତିରୋଧ ହିଁ ଏକମାତ୍ର ଚିକିତ୍ସା :
ହଣ୍ଟାଭାଇରସ୍ ପାଇଁ ଏବେ କୌଣସି ସ୍ୱତନ୍ତ୍ର ଟିକା କିମ୍ବା ଚିକିତ୍ସା ଉପଲବ୍ଧ ନାହିଁ । ବିଶେଷଜ୍ଞଙ୍କ ପରାମର୍ଶ ଯେ ସଂକ୍ରମଣ ବିଷୟରେ ଜଣାପଡ଼ିବା ମାତ୍ରେ ରୋଗୀଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବା ଉଚିତ୍ । ଅକ୍ସିଜେନ୍ ସପୋର୍ଟ ଓ ହାଇଡ୍ରେସନ୍ ଜରିଆରେ ହିଁ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ । ମୂଷାଠୁ ଦୂରେଇ ରହିବା, ପରିଷ୍କାର- ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ହିଁ ଏଥିରୁ ରକ୍ଷା ପାଇବାର ଫଳପ୍ରଦ ଉପାୟ ।