ତେଲ ଟାଙ୍କିରେ କମିଛି ଧାଡ଼ି, କମିନି ଟେନସନ୍

ତେଲ ଟାଙ୍କିରେ କମିଛି ଧାଡ଼ି, କମିନି ଟେନସନ୍ । ଧାଡି କମିଛି, ହେଲେ ତେଲ ତାତି କମିନି । ପେଟ୍ରୋଲ ପମ୍ପରେ ଆଜି ସକାଳେ ଖୋଲିବା ପୂର୍ବରୁ ଲୋକେ ଧାଡ଼ି ଲଗାଇଛନ୍ତି । ତେଲ ସରିଯିବା ଭୟ, ଲମ୍ବା ଲାଇନ୍, ଅପେକ୍ଷା ଆଉ ଅସନ୍ତୋଷ । କେହି ଲାଇନରେ ରହି ଗାଡିରେ ତେଲ ପକାଉଛନ୍ତି ତ କେହି କେହି ଜାର୍ ରେ ଭରି ଘରକୁ ନେଉଛନ୍ତି । ଉପକୂଳରୁ ଉପାନ୍ତ । ଦକ୍ଷିଣରୁ ପଶ୍ଚିମ । ସବୁଠି ଲୋକଙ୍କୁ ଘାରିଛି ତେଲ ଚିନ୍ତା । କିଛି ସ୍ଥାନରେ ତୈଳ ନଥିବାରୁ ପେଟ୍ରୋଲ ପମ୍ପ ବନ୍ଦ । ଆଉ ଯେଉଁଠି ତେଲ ମିଳୁଛି ସେଠାରେ ଅସମ୍ଭାଳ ଭିଡ଼ । ସକାଳରୁ ରାତି ଯାଏ ପେଟ୍ରୋଲ ପମ୍ପରେ ଗହଳି ।

ବାଇକ, ଅଟୋ, କାର, ବସ୍ ଓ ଭାରୀ ଯାନ ଲମ୍ବା ଲାଇନ ଲଗାଉଛନ୍ତି । ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି । ଭିଡ଼ ଭିତରେ ଅନେକ ଲୋକ ତେଲ ନପାଇ ନିରାଶ ହୋଇ ଫେରୁଛନ୍ତି । ପେଟ୍ରୋଲ, ଡିଜେଲ ସଙ୍କଟ ବଢୁଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାଳେ କେଉଁ ପମ୍ପରୁ ତେଲ ସରିଯିବ, ଆଶଙ୍କାରେ କେହି ବି ଲାଇନ୍ ଛାଡୁ ନାହାନ୍ତି ।ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ସୁଧାର ଆସିପାରେ ବୋଲି ଆଶ୍ବାସନା ଦେଇଛନ୍ତି ତୈଳ ବିତରଣ କମ୍ପାନୀ। ଆଜି ରବିବାର ଲେ ଡିପୋ ଖୋଲା ରହିବ ।

Leave a comment