ଡିଜିପିଙ୍କ ଚେତାବନୀ, ପେସାଦର ଅପରାଧୀଙ୍କୁ ଏଥର ଏନାକାଉଣ୍ଟର

ଓଡ଼ିଶାରେ ଅପରାଧୀଙ୍କୁ ଡିଜିପିଙ୍କ ସିଧା ନିଶାନା: ୨୪ ଘଣ୍ଟାରେ ଦୁଇ ଦୁଇଟି ବଡ଼ ଏନକାଉଣ୍ଟର

ଭୁବନେଶ୍ୱର: ରାଜ୍ୟରେ ରକ୍ତରଞ୍ଜିତ ଖେଳ ଖେଳୁଥିବା ଅପରାଧୀଙ୍କ ପାଇଁ ଆଉ ଓଡ଼ିଶା ମାଟିରେ ସ୍ଥାନ ନାହିଁ। ବାଲିଅନ୍ତାର ବର୍ବର କାଣ୍ଡ, ନୟାଗଡ଼ ଓ ବେଲପାହାଡ଼ ଭଳି ସ୍ଥାନରେ କ୍ରମାଗତ ଅପରାଧ ଯୋଗୁଁ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବା ପରେ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡକୁ ଆସିଛି ଓଡ଼ିଶା ପୋଲିସ। ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଦୁଇ ଦୁଇଟି ବଡ଼ ଏନକାଉଣ୍ଟର କରି ପୋଲିସ ଅପରାଧୀଙ୍କ ମେରୁଦଣ୍ଡ ଭାଙ୍ଗିବା ଆରମ୍ଭ କରିଛି।

ଗୋପାଳପୁର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ପୋଲିସ ଗୁଳିରେ ଜଖମ ହୋଇଛି କୁଖ୍ୟାତ ଅପରାଧୀ ଦୀପୁନା ନାୟକ। ହତ୍ୟା, ଦୁଷ୍କର୍ମ ଓ ଦାଦାବଟି ଆଦାୟରେ ଜଡ଼ିତ ଦୀପୁନା ପୋଲିସ ଉପରକୁ ବୋମାମାଡ଼ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ପାଲଟା ଗୁଳି ଚଳାଇ ତା’ ଗୋଡ଼କୁ କାବୁ କରିଛି।

ବୁର୍ଲା ପ୍ଲାନେଟାରିୟମ୍ ଛକ ନିକଟରେ ଭୋର ପ୍ରାୟ ୫ଟାରେ ହାର୍ଡକୋର୍ କ୍ରିମିନାଲ ମନୀଷ ସାହୁକୁ ଏନକାଉଣ୍ଟର କରିଛି ସମ୍ବଲପୁର ପୋଲିସ। ୧୪ରୁ ଅଧିକ ମାମଲାରେ ଜଡ଼ିତ ମନୀଷ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି କରିଥିବା ବେଳେ ପୋଲିସର ପାଲଟା ୨ ରାଉଣ୍ଡ ଗୁଳିରେ ସେ ଜଖମ ହୋଇ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛି।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ୱାଇ.ବି.ଖୁରାନିଆ ସ୍ପଷ୍ଟ କରିଛନ୍ତି ଯେ, ଅପରାଧ ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଯାଇଛି। ଗତ ୫ ଦିନ ମଧ୍ୟରେ ରାଜ୍ୟବ୍ୟାପୀ:

୧,୭୭୧ ଜଣଙ୍କ ବିରୋଧରେ NBW ଜାରି କରାଯାଇଛି। ୬ ଜଣଙ୍କ ବିରୋଧରେ NSA ଲଗାଯାଇଛି ଏବଂ ୫୦ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି।

ବେଆଇନ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ ଏବଂ ଖଣି ମାଫିଆଙ୍କ ଦମନ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

GRP କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ପରେ ସବୁ ଥାନାରେ ସକାଳ ୯ଟାରେ ‘ପରେଡ୍ ବ୍ରିଫିଂ’ ଜାରି ରହିଛି। ପୋଲିସର ଏହି ‘ମିଶନ ମୋଡ୍’ ଆଗକୁ କ୍ରିମିନାଲ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ସଫା କରିବ ବୋଲି ଆଶା କରାଯାଉଛି।

ଡିଜିପି  କହିଛନ୍ତି ଯେ, ଅପରାଧକୁ ଜିରୋ ଟୋଲରେନ୍ସ। ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ।