ଭାରତରେ ଭୟଙ୍କର ଗ୍ରୀଷ୍ମପ୍ରବାହ କେବଳ ଅଂଶୁଘାତଆଣୁନାହିଁ, ଏହା ଗୁରୁତର ଚକ୍ଷୁସମସ୍ୟା ମଧ୍ୟ ସୃଷ୍ଟି କରୁଛି

ଭାରତରେ ଭୟଙ୍କର ଗ୍ରୀଷ୍ମପ୍ରବାହ କେବଳ ଅଂଶୁଘାତଆଣୁନାହିଁ, ଏହା ଗୁରୁତର ଚକ୍ଷୁସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଆଖି ଶୁଖିଯିବା, ନାଲି ପଡ଼ିବା, ଜଳାପୋଡ଼ା, ଆଲର୍ଜି ଆଦି ଗୁରୁତର ଆଖି ସମସ୍ୟା ନେଇ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଉଥିବା ଚକ୍ଷୁ ବିଶେଷଜ୍ଞମାନେ କହିଛନ୍ତି। ତୀବ୍ର ଅତିବାଇଗଣୀ ବିକିରଣ, ଗରମ ପବନ, ଧୂଳି ଓ ଜଳଶୁୁଷ୍କତା ଏହାର କାରଣ ବୋଲି ଆଖି ଡାକ୍ତରମାନେ କହିଛନ୍ତି।ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ବରିଷ୍ଠ ଚକ୍ଷୁ ସର୍ଜନ୍‌ ବିଶେଷଜ୍ଞ ଡା.ପଙ୍କଜ ରଞ୍ଜନ କହିଛନ୍ତି, ସାରା ଦେଶରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଖିରେ ଶୁଷ୍କତା, ନାଲି ପଡ଼ିବା ହସ ଚକ୍ଷୁ ଚାପ ବୃଦ୍ଧି ପାଉଛି। ପିଲାମାନେ ଅଧିକ ସମୟ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ଦୃଷ୍ଟିଶକ୍ତି ସୁରକ୍ଷିତ ରଖିବା ପାଇଁ ବିଶେଷଜ୍ଞମାନେ ପାଞ୍ଚଟି ଜରୁରି ଅଭ୍ୟାସ ସୁପାରିସ କରିଛନ୍ତି। ତାହା ହେଲା ସମୟାନ୍ତରରେ ଆଖିରେ ପାଣି ଛାଟିବା, ୟୁଭି-ସୁରକ୍ଷା ଚଷମା ପିନ୍ଧିବା, ୨୦-୨୦-୨୦ ନିୟମ ଅଭ୍ୟାସ କରିବା, ସିଧାସଳଖ ଏୟାର୍‌ କଣ୍ଡିସନର୍ ବାୟୁ ପ୍ରବାହରୁ ଦୂରେଇ ରହିବା ଏବଂ ନିଜେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଡାକ୍ତରୀ ପରାମର୍ଶ ନେବା। ୨୦-୨୦-୨୦ ନିୟମ ଅର୍ଥ ଏକ ସ୍କ୍ରିନ୍‌କୁ ଦେଖିବା ପାଇଁ ପ୍ରତି ୨୦ ମିନିଟ୍‌ରେ ଥରେ ୨୦ ସେକେଣ୍ଡର ବିରତି ନିଅନ୍ତୁ ଏବଂ ୨୦ ଫୁଟ ଦୂରରେ ଥିବା ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ।ଡାକ୍ତର ପଙ୍କଜ ରଞ୍ଜନ କହିଛନ୍ତି, ଯେତେବେଳେ ଏସି ଓ ଅତ୍ୟଧିକ ଡିଜିଟାଲ ସ୍କ୍ରିନ୍ ବ୍ୟବହାର ହୁଏ ସେତେବେଳେ ଆଖି ଉପରେ ଅଧିକ ଚାପ ବୃଦ୍ଧି ପାଏ। ଗ୍ରୀଷ୍ମଋତୁରେ ଚକ୍ଷୁ ଯତ୍ନ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବର୍ତ୍ତମାନ ଏକ ଡାକ୍ତରୀ ଆବଶ୍ୟକତା ବୋଲି ସେ କହିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଅତ୍ୟଧିକ ଉତ୍ତାପ, ସୂର୍ଯ୍ୟକିରଣ, ଧୂଳି, ପ୍ରଦୂଷଣ, ଶରୀରରୁ ଜଳୀୟମାତ୍ରା ହ୍ରାସ ଓ ଅତ୍ୟଧିକ ମୋବାଇଲ, କମ୍ପ୍ୟୁଟର ବ୍ୟବହାର ସାମଗ୍ରିକ ଚକ୍ଷୁ ସ୍ୱାସ୍ଥ୍ୟକୁ ଯଥେଷ୍ଟ ପ୍ରଭାବିତ କରିପାରେ। ଉଚ୍ଚ ତାପମାତ୍ରା ଓ ଶୁଷ୍କ ପରିବେଶ ଆଖିର ପ୍ରାକୃତିକ ଲୁହ ଫିଲ୍ମକୁ ବ୍ୟାହତ କରିପାରେ, ଯାହା ଶୁଖିଲା ଆଖି ଓ ଆଖି ଥକ୍କାପଣକୁ ବୃଦ୍ଧି କରିପାରେ। ଏମ୍‌ସ ନୂଆଦିଲ୍ଲୀର ସହକାରୀ ଚକ୍ଷୁ ପ୍ରଫେସର ଡାକ୍ତର ଅନୁ ମଲିକ କହିଛନ୍ତି, ଗ୍ରୀଷ୍ମ ଋତୁରେ ଚକ୍ଷୁ ଯତ୍ନ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗ୍ରୀଷ୍ମଛୁଟିରେ ପିଲାମାନେ ଅଧିକ ସମୟ ମୋବାଇଲ୍, ଟାବ୍‌ଲେଟ୍, ଲାପ୍‌ଟପ୍ ଓ ଟେଲିଭିଜନ ଦେଖିବା ଦ୍ବାରା ଚକ୍ଷୁ ସ୍ବାସ୍ଥ୍ୟ ବିପଦପୂର୍ଣ୍ଣ ହୋଇପାରେ ବୋଲି ସେ କହିଛନ୍ତି।

Leave a comment