ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି ।  ଓଡ଼ିଶାରେ କମିଲା PUCC ଜରିମାନା । ଆଉ ଗଣିବାକୁ ପଡ଼ିବନି ୧୦ ହଜାର ଟଙ୍କା  ।  ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା ।  ବୈଧ ପିୟୁସିସି ନଥିଲେ ପ୍ରଥମ ଥର ପାଇଁ ୧ ହଜାରରୁ ୩ ହଜାର ଟଙ୍କା, ପୁନର୍ବାର ଉଲ୍ଲଂଘନ କଲେ ସର୍ବାଧିକ ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।  ରାଜ୍ୟରେ ବୈଧ Pollution Under Control Certificate-PUCC ନଥିଲେ ଲାଗୁଥିବା ଜରିମାନା ରାଶିକୁ ରାଜ୍ୟ ସରକାର କମାଇଛନ୍ତି।

ପୂର୍ବରୁ PUCC ନଥିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଥିବାବେଳେ ଏବେ ଗାଡ଼ିର ପ୍ରକାର ଏବଂ ଏହା ପ୍ରଥମ କି ପରବର୍ତ୍ତୀ ଉଲ୍ଲଂଘନ, ସେହି ଅନୁସାରେ ଜରିମାନା ଧାର୍ଯ୍ୟ କରାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ ଦୁଇଚକିଆ ଓ ତିନିଚକିଆ ଯାନ ପାଇଁ ପ୍ରଥମ ଥର PUCC ନିୟମ ଉଲ୍ଲଂଘନ କଲେ ୧,୦୦୦ ଟଙ୍କା ଜରିମାନା ଲାଗିବ।

ପୁଣି ଥରେ ସମାନ ନିୟମ ଉଲ୍ଲଂଘନ କଲେ ୨,୦୦୦ ଟଙ୍କା ଜରିମାନା ହେବ। କାର୍, ଜିପ୍ ଓ ମୋଟର କ୍ୟାବ୍ କ୍ଷେତ୍ରରେ ପ୍ରଥମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଏବଂ ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୫,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସେହିପରି ଟ୍ରାକ୍ଟର ଓ ଟ୍ରେଲର ପାଇଁ ପ୍ରଥମ ଥର ୨,୦୦୦ ଟଙ୍କା ଏବଂ ପରବର୍ତ୍ତୀ ଉଲ୍ଲଂଘନରେ ୫,୦୦୦ ଟଙ୍କା ଦେବାକୁ ପଡ଼ିବ। ଅନ୍ୟାନ୍ୟ ଶ୍ରେଣୀର ଯାନ ପାଇଁ ପ୍ରଥମ ଉଲ୍ଲଂଘନରେ ୩,୦୦୦ ଟଙ୍କା ଏବଂ ପରବର୍ତ୍ତୀ ଉଲ୍ଲଂଘନରେ ୬,୦୦୦ ଟଙ୍କା ଜରିମାନା ଲାଗିବ।

ଅର୍ଥାତ୍ ସଂଶୋଧିତ ବ୍ୟବସ୍ଥାରେ PUCC ଉଲ୍ଲଂଘନ ପାଇଁ ସର୍ବାଧିକ ଜରିମାନା ୬,୦୦୦ ଟଙ୍କା ରହିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ରାଜ୍ୟରେ PUCC ଯାଞ୍ଚ ଓ ଜରିମାନାକୁ ନେଇ ଗାଡ଼ି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇବା ପରେ ଜରିମାନା ରାଶିରେ ପରିବର୍ତ୍ତନ କରାଯାଇଛି। ତେବେ ଜରିମାନା କମିଥିଲେ ମଧ୍ୟ ଗାଡ଼ି ପାଇଁ ବୈଧ PUCC ରଖିବା ବାଧ୍ୟତାମୂଳକ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଅନୁସାରେ, କୌଣସି ଗାଡ଼ିର ଇ-ଚାଲାଣ ୯୦ ଦିନରୁ ଅଧିକ ସମୟ ଧରି ବକେୟା ଥିଲେ ତାହା ପରିଶୋଧ ନହେବା ପର୍ଯ୍ୟନ୍ତ PUCC ଜାରି ଉପରେ ପ୍ରଭାବ ପଡ଼ିପାରେ।

Leave a comment