ଫାଇବାର, ପ୍ରୋଟିନ୍, ଆଇରନ୍ ଓ ପୁଷ୍ଟିକର ଗୁଣ ଭରପୂର ବେଲପଣା
ଓଡିଆଙ୍କ ପାଇଁ ନ୍ୟାଚୁରାଲ ଥଣ୍ଡା କହିଲେ ବେଲପଣାକୁ ବୁଝାଏ । ଯାହା ସ୍ବାସ୍ଥ୍ୟକୁ ଭଲ ରଖିବା ସହିତ ଶରୀରକୁ ଭିତରୁ ଥଣ୍ଡା ରଖେ । ଏହା ଏନର୍ଜି ବୁଷ୍ଟର ଭାବେ କାର୍ଯ୍ୟ କରିଥାଏ । ଯାହା ଆମ ଶରୀର ପାଇଁ ରାମବାଣ ସଦୃଶ । ବେଲପଣା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଯାହା ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଆଜିକାଲିକା ଯୁବ ପିଢିମାନେ ଖରାଦିନ ଆରମ୍ଭ ହେଉ ହେଉ କୋଲଡ୍ରିଙ୍କସ ଏବଂ ଆଇସ୍କ୍ରିମ୍ ଖାଉଛନ୍ତି । ଏହା କିଛି ସମୟ ପାଇଁ ହୁଏତ ଆମକୁ ଥଣ୍ଡା ଅନୁଭବ କରାଇଥାଏ ହେଲେ ପରେ ବିପଦ ମୁହଁକୁ ଠେଲି ଦେଇଥାଏ । ସେଥିପାଇଁ ଗରମରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣମାନେ ବେଲପଣା ପିଇପାରିବେ । ବେଲରେ ଫାଇବାର, ପ୍ରୋଟିନ୍, ଆଇରନ୍ ଓ ପୁଷ୍ଟିକର ଗୁଣ ଭରପୂର ମାତ୍ରାରେ ଥାଏ । ଯାହା ଶରୀରକୁ ହାଇଡ୍ରେଡ୍ ରଖିବା ସହ କୋଷ୍ଠ-କାଠିନ୍ୟ,ଗ୍ୟାସ୍, ବଦହଜମି ଓ ଥକ୍କାପଣ ଭଳି ସମସ୍ୟାକୁ ଦୂର କରିଥାଏ । ତେବେ ଆମେ ଆଜି ଆପଣଙ୍କୁ ବେଲପଣା ପିଇବାର ଲାଭ ସମ୍ପର୍କରେ ଜଣାଇବୁ । ଯାହା ଆପଣଙ୍କୁ ଅନେକ ଲାଭ ପ୍ରଦାନ କରିବ । ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା । ଯାହା ଦ୍ବାରା ଆପଣଙ୍କ ସମସ୍ୟା କିଛି ମାତ୍ରାରେ ଲାଘବ ହୋଇପାରିବ ।
ଶରୀରକୁ ଥଣ୍ଡା ରଖେ : ଖରାଦିନେ ଅଧିକରୁ ଅଧିକ ଝାଳ ବୋହିଥାଏ । ସାଧାରଣତଃ ଏହି ଦିନରେ ଜଳୀୟ ଅଂଶର ଅଭାବ ଦେଖିବାକୁ ମିଳିଥାଏ । ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣ ବେଲପଣା ପିଇପାରିବେ । ଯାହା ଆପଣଙ୍କ ଶରୀର ଜଳୀୟ ଅଂଶର ଅଭାବକୁ ଦୂର କରିବ । ଏହା ସହିତ ଆପଣଙ୍କୁ ଇନଷ୍ଟାଣ୍ଟ ଏନର୍ଜି ଦେବ ।
ରକ୍ତକୁ ପରିଷ୍କାର କରେ : ବେଲପଣା ପିଇବା ଦ୍ବାରା ରକ୍ତକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ତ୍ବଚାରେ ଚମକ ଆଣିବାରେ ସହାୟକ କରେ ।
ହଜମ ପ୍ରକ୍ରିୟା ଉନ୍ନତ କରେ : ବେଲ ପଣାରେ ପ୍ରଚୁର ପରିମାଣର ଡାଏଟ୍ରି ଫାଇବର ଏବଂ ପେକ୍ଟିନ ଥାଏ । ଯାହା ମଳତ୍ୟାଗକୁ ନିୟନ୍ତ୍ରଣ କରିବାରେ ଏବଂ ଏକ ସୁସ୍ଥ ପାଚନ ପ୍ରଣାଳୀ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଏକ ପ୍ରାକୃତିକ ଔଷଧ ଭାବରେ କାର୍ଯ୍ୟ କରେ । କୋଷ୍ଠକାଠିନ୍ୟକୁ କମ କରିବାରେ ସାହାଯ୍ୟ କରେ ।
ହାର୍ଟକୁ ସୁସ୍ଥ ରଖେ : ବେଲପଣା ନିୟମିତ ଭାବେ ସେବନ କଲେ କୋଲେଷ୍ଟ୍ରୋଲ୍ ସ୍ତର ନିୟନ୍ତ୍ରଣ କରାଯାଇପାରିବ । ଯାହା ଦ୍ବାରା ହାର୍ଟକୁ ସୁସ୍ଥ ରଖାଯାଇପାରିବ । ହାର୍ଟର ସ୍ବାସ୍ଥ୍ୟକୁ ଉନ୍ନତ କରି ହୃଦରୋଗର ଆଶଙ୍କା ହ୍ରାସ କରିଥାଏ ।
ମଧୁମେହ ନିୟନ୍ତ୍ରଣ କରେ : ବେଲପଣାରେ ଫେରୁଲିକ୍ ଏସିଡ୍ ଏବଂ ରୁଟିନ୍ ଭଳି ଗୁଣ ରହିଛି । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରେ ଏବଂ ରକ୍ତ ଶର୍କରା ସ୍ତରକୁ ହ୍ରାସ କରେ ।
ଚର୍ମକୁ ସୁସ୍ଥ ରଖେ : ବେଲପଣାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ଚର୍ମକୁ ଅକ୍ସିଡେଟିଭ ଚାପରୁ ରକ୍ଷା କରେ ଏବଂ କୋଲାଜେନ ଉତ୍ପାଦନକୁ ବୃଦ୍ଧି କରେ । ଯାହା ଚର୍ମକୁ ଉନ୍ନତ କରିବା ସହ ଅକାଳ ବାର୍ଦ୍ଧକ୍ୟକୁ ରୋକିଥାଏ । ତେଣୁ ଖରାଦିନେ ଅନ୍ୟ ଥଣ୍ଡା ପିଇବା ପରିବର୍ତ୍ତେ ବେଲପଣା ପିଅନ୍ତୁ । ଯାହା ଆପଣଙ୍କର ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିପାରିବ ।