୮.୭ କୋଟି ଯୁବକ ନା ପଢୁଛନ୍ତି ନା କୌଣସି ରୋଜଗାର କରୁଛନ୍ତି ନା କୌଣସି ପ୍ରକାରର ପ୍ରଶିକ୍ଷଣ ନେଉଛନ୍ତି

 ନୀତି ଆୟୋଗଙ୍କ ରିପୋର୍ଟରୁ ଆସିଛି ଚିନ୍ତାଜନକ ଖବର। ଭାରତରେ ୧୫ରୁ ୨୦ ବର୍ଷ ବୟସର ପ୍ରାୟ ୮.୭ କୋଟି ଯୁବକ ନା ପଢୁଛନ୍ତି ନା କୌଣସି ରୋଜଗାର କରୁଛନ୍ତି ନା କୌଣସି ପ୍ରକାରର ପ୍ରଶିକ୍ଷଣ ନେଉଛନ୍ତି। ଏମିତି ଯୁବକଙ୍କୁ NEET(Not in Education, Employment and Training) ଶ୍ରେଣୀରେ ରଖା ଯାଇଛି। ଏହି ରିପୋର୍ଟରେ ଆୟୋଗ ଏମିତି ଯୁବକମାନଙ୍କୁ ସ୍ଵରୋଜଗାର ସହ ଯୋଡ଼ିବା ଏବଂ ସ୍ଥାନୀୟ ଚାହିଦା ଅନୁସାରେ ପ୍ରଶିକ୍ଷଣ ଉପରେ ଗୁରୁତ୍ଵାରୋପ କରିଛନ୍ତି। ନୀତି ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏହା ୨୦୨୧ରେ ଆୟୋଜିତ ରାଷ୍ଟ୍ରୀୟ ନମୂନା ସର୍ଭେକ୍ଷେଣ(NSS)ର ତଥ୍ୟ ଉପରେ ଆଧାରିତ।

କୌଶଳ ବିକାଶ ଯୋଜନାର ପ୍ରଭାବ କେମିତି ଅଧିକ ସୁନିଶ୍ଚିତ କରାଯାଇ ପାରିବ ତାକୁ ଦୃଷ୍ଟିରେ ରଖି ନୀତି ଆୟୋଗ ଭାରତର କାର୍ଯ୍ୟବଳ ଏବଂ ଶିକ୍ଷାର୍ଥୀଙ୍କୁ ୫ ପ୍ରମୁଖ ଶ୍ରେଣୀରେ ବିଭାଜିତ କରିଛି। ଏଥିରେ ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା, ପେଶାଦାର ଓ ଅଣପେଶାଦାର, ନିଟ୍ ଶ୍ରେଣୀର ଯୁବକ, ମହିଳା ଏବଂ ରୋଜଗାର ସହିତ ପଢୁଥିବା ଲୋକ ସାମିଲ୍। ରିପୋର୍ଟରେ କୁହାଯାଇଛି ନିଟ୍ ଶ୍ରେଣୀର ଯୁବକ ଆୟର ଅଭାବ ଏବଂ ଗତ ଶିକ୍ଷା ଉପରେ ହୋଇଥିବା ଖର୍ଚ୍ଚର ଆର୍ଥିକ ବୋଝଭାର ତଳେ ଦବି ରହିଛନ୍ତି। ଏମିତି ସ୍ଥିତିରେ ସେମାନେ ଫି ଦେଇ ଅନ୍ୟ କିଛି ଟ୍ରେନିଂ କୋର୍ସ କରି ପାରୁ ନାହାନ୍ତି।

ନୀତି ଆୟୋଗଙ୍କ ଅନୁସାରେ ଦୁର୍ବଳ ଆର୍ଥିକ ଅନ୍ନାଟନ ଦେଇ ଗତି କରୁଥିବା ନିଟ୍ ଯୁବକ ଏବଂ ମହିଳାଙ୍କୁ ସ୍ଵଳ୍ପ ମୂଲ୍ୟରେ କିମ୍ବା ସବସିଡି ବିଶିଷ୍ଟ ଟ୍ରେନିଂ ଦେବା ସହିତ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ରିପୋର୍ଟରେ ଏହା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଛି ଯେ, ସବୁ ଶ୍ରେଣୀ ପାଇଁ ଶିଖିବା ସହିତ ରୋଜଗାରର ସୁଯୋଗ ଦେବା ଆବଶ୍ୟକ।

ଡିଗ୍ରୀ ପରେ ବି ରୋଜଗାରର ସଙ୍କଟ

ରିପୋର୍ଟରେ ଏହା ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି ଯେ, ଭାରତରେ କେବଳ ୮.୨୫ ପ୍ରତିଶତ ସ୍ନାତକ ହିଁ ନିଜ ଶିକ୍ଷାର ଯୋଗ୍ୟତା ଅନୁସାରେ ଚାକିରି କରୁଛନ୍ତି। ଅନ୍ୟପଟେ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ ପ୍ରଥମରୁ ହିଁ କଲେଜ୍ ଫି ଏବଂ ଟ୍ୟୁସନ ଖର୍ଚ୍ଚ ଉଠାଇବାରେ ବିଫଳ ହେଉଛନ୍ତି। ପାରମ୍ପରିକ ଡିଗ୍ରୀ ସହିତ ଅଲଗା ଫି ଦେଇ ଦକ୍ଷତା ବିକାଶ ଟ୍ରେନିଂ ନେବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇ ନାହିଁ। ଏହି କାରଣରୁ ଅନେକ ଗ୍ରାଜୁଏଟ ଯୁବକଙ୍କୁ ପାଠପଢା ପରେ ପରିବାରର ଆର୍ଥିକ ସ୍ଥିତି ସମ୍ଭାଳିବା ପାଇଁ କମ ବେତନର ରୋଜଗାର ମଧ୍ୟ ମିଳୁନାହିଁ।

Leave a comment