କଂଗ୍ରେସର ନିଷ୍ପତ୍ତି ଜାତୀୟତା ବିରୋଧୀ: ଶାହା

କଂଗ୍ରେସ କାର୍ଯ୍ୟକାରିଣୀ କମିଟି  ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର କେବଳ ପ୍ରଥମ ଦୁଇଟି ପଙ୍‌କ୍ତି ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ଏହି ନିଷ୍ପତ୍ତିକୁ ସେ ଜାତୀୟତା ବିରୋଧୀ ଓ ତୁଷ୍ଟୀକରଣ ରାଜନୀତି ବୋଲି ଆଖ୍ୟା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, କଂଗ୍ରେସ ୧୯୩୭ ମସିହାରେ ନେଇଥିବା ଏକ ନିଷ୍ପତ୍ତିକୁ ପୁଣି ଥରେ ଦୋହରାଇ ଦଳୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ଗାଇବାକୁ ସ୍ଥିର କରିଛି। ଶାହା କହିଛନ୍ତି ଯେ, ୧୯୩୭ ମସିହାରେ କଂଗ୍ରେସ ଭୋଟବ୍ୟାଙ୍କ ଓ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରମ୍‌କୁ ଦୁଇ ଭାଗରେ ବିଭକ୍ତ କରି ଦେଶ ବିଭାଜନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ଆଜି ପୁଣି ଥରେ ସେହି ଭୁଲକୁ ଦୋହରାଯାଉଛି। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ କରିବାକୁ ସଂସଦ ମାଧ୍ୟମରେ ଆଇନଗତ ମାନ୍ୟତା ଦେଇଥିବା ବେଳେ କଂଗ୍ରେସ ସଂସଦୀୟ ଆଇନକୁ ଅମାନ୍ୟ କରୁଛି ବୋଲି ଶାହା ଅଭିଯୋଗ କରିଛନ୍ତି। ଆଉ ମଧ୍ୟ କଂଗ୍ରେସର ଏହି ନିଷ୍ପତ୍ତି ଦ୍ୱାରା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର କୃତି ଏବଂ ବନ୍ଦେ ମାତରମ୍ ଗାଇ ଦେଶ ପାଇଁ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଇଛି ବୋଲି ଶାହା ଦାବି କରିଛନ୍ତି।

Leave a comment