ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ-୨୦୨୬: ଭାରତକୁ ପରାସ୍ତ କରି ସେମିଫାଇନାଲରେ ନେଦରାଲାଣ୍ଡ୍ସ
ଏଫ୍ଆଇଏଚ୍ ମହିଳା ହକି ହକି ବିଶ୍ବକପ-୨୦୨୬ର ସେମିଫାଇନାଲରେ ନେଦରାଲାଣ୍ଡ୍ସ ପ୍ରବେଶ କରିଛି। ଶୁକ୍ରବାର ଆମଷ୍ଟଲଭିନରେ ଦ୍ବିତୀୟ ରାଉଣ୍ଡ ପୁଲ-ଇର ଖେଳାଯାଇଥିବା ମ୍ୟାଚରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଭାରତକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ପରାଜୟ ସହ ଭାରତର ସେମିଫାନାଲ ରାସ୍ତା କଷ୍ଟକର ହୋଇଛି। ଖେଳର ଦୁଇ ମିନିଟ୍ରେ ନେଦରଲାଣ୍ଡସକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ୟୂବି ୟାନସେନ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ନେଦରଲାଣ୍ଡ୍ସ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତ ଗୋଲ ବରାବର ନେଇ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ୨୩ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା।ପ୍ରଥମାର୍ଦ୍ଧ ସୁଦ୍ଧା ନେଦରଲାଣ୍ଡ୍ସ ୧-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୩ ମିନିଟ୍ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ଗୋଲ ବରାବର ନେଇ ସୁଯୋଗ ରହିଥିଲେ ମଧ୍ୟ ଏଥିରେ ଭାରତ ବିଫଳ ହୋଇଥିଲା। ୩୮ ମିନିଟ୍ରେ ନେଦରଲାଣ୍ଡ୍ସକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଫେଡରିକ ମାଲ୍ଟା ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ନେଦରଲାଣ୍ଡ୍ସ ୨-୦ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟରରେ ଭାରତ ଗୋଲ ଦେବା ନେଇ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ନେଦରଲାଣ୍ଡ୍ସ କୌଣସି ସୁଯୋଗ ଦେଇନଥିଲା। ଶେଷରେ ନେଦରଲାଣ୍ଡ୍ସ ମ୍ୟାଚକୁ ୨-୦ ଗୋଲରେ ବିଜୟ ହାସଲ କରିଥିଲା। ନେଦରଲାଣ୍ଡ୍ସ ୬ ପଏଣ୍ଟ ସହ ପୁଲ-ଇ ର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି। ଭାରତ ୨୩ରେ ପରବର୍ତ୍ତୀ ମ୍ୟାଚ ଅଷ୍ଟ୍ରେଲିଆ ସହ ଖେଳିବ। ଉକ୍ତ ମ୍ୟାଚରେ ଦଳ ବିଜୟୀ ହେଲେ ମଧ୍ୟ ଅନ୍ୟ ମ୍ୟାଚର ଫଳାଫଳ ଉପରେ ସେମିଫାଇନାଲ ଭାଗ୍ୟ ନିର୍ଭର କରିବ। ଚୀନ ଯଦି ଶେଷ ମ୍ୟାଚରେ ନେଦରଲାଣ୍ଡ୍ସ ନିକଟରୁ ପରାଜିତ ହୁଏ ତେବେ ଭାରତ -ଅଷ୍ଟ୍ରେଲିଆକୁ ପରାସ୍ତ କଲେ ସେମିଫାଇନାଲରେ ପହଞ୍ଚିପାରିବ।