ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି

ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି (Comprehensive Economic and Trade Agreement – CETA) ବୁଧବାରଠାରୁ ଆନୁଷ୍ଠାନିକ ଭାବେ ଲାଗୁ ହୋଇଛି। ଏହି ଚୁକ୍ତି ଲାଗୁ ହେବା ପରେ ବ୍ରିଟେନ୍ ବଜାରରେ ଅନେକ ଭାରତୀୟ ସାମଗ୍ରୀ ଶୁଳ୍କମୁକ୍ତ ହେବ। ଫଳରେ ସେଠାରେ ଭାରତୀୟ ସାମଗ୍ରୀ ଶସ୍ତା ହୋଇଯିବ। ଓ ଲୋକେ ଅଧିକରୁ ଅଧିକ ଭାରତୀୟ ସାମଗ୍ରୀ କିଣିବେ। ଏହାଦ୍ୱାରା ଭାରତର ଡିମାଣ୍ଡ ବଢ଼ିବ। ଯାହା ଦେଶରେ ଅର୍ଥନୀତି ପାଇଁ ଶୁଭ ସଂକେତ।

ସେହିପରି ଭାରତରେ ମଧ୍ୟ କେତେକ ବ୍ରିଟେନ ସାମଗ୍ରୀ ଶସ୍ତା ହେବ। ବ୍ରିଟେନ୍ରେ ତିଆରି କାର୍ ଠାରୁ ଆରମ୍ଭ କରି ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଶସ୍ତା ହେବ। କେବଳ ସେତିକି ନୁହେଁ ଜୁଲାଇ ୧୫ରୁ ଭାରତ ଓ ବ୍ରିଟେନ ମଧ୍ୟରେ ହୋଇଥିବା ସାମାଜିକ ସୁରକ୍ଷା ଚୁକ୍ତି (Agreement on Social Security) ମଧ୍ୟ କାର୍ଯ୍ୟକାରୀ ହୋଇଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, “ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି (CETA) ଏବଂ ସାମାଜିକ ସୁରକ୍ଷା ଚୁକ୍ତି କାର୍ଯ୍ୟକାରୀ ହେବା ସହିତ ଭାରତ ଓ ବ୍ରିଟେନ ମଧ୍ୟରେ ଆର୍ଥିକ ସମ୍ପର୍କ ଆହୁରି ସୁଦୃଢ଼ ହେବ।”

ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ସିଇଟିଏ ଚୁକ୍ତି ଭାରତୀୟ କୃଷକ, ଉଦ୍ୟୋଗୀ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରକୁ ନୂଆ ଗତି ପ୍ରଦାନ କରିବ। ଫଳରେ ଅନେକ ସମ୍ଭାବନା ଥିବା ବିଭିନ୍ନ କ୍ଷେତ୍ର ବ୍ରିଟେନ ବଜାରରେ ଅଧିକ ସୁଦୃଢ଼ ପ୍ରବେଶ ଓ ବ୍ୟବସାୟିକ ସୁଯୋଗ ମିଳିବ।

ଏହା ସହିତ ଟେକ୍ନୋଲୋଜୀ, ପେସାଦାର ସେବା ଏବଂ ନବସୃଜନ ବା ଇନୋଭେସନ କ୍ଷେତ୍ରରେ ଭାରତ ଓ ବ୍ରିଟେନ ମଧ୍ୟରେ ସହଯୋଗ ଆହୁରି ଗଭୀର ହେବ। ସେହିପରି, କୁଶଳୀ ଭାରତୀୟ ପେସାଦାରଙ୍କ ବ୍ରିଟେନ ଯିବା ଆସିବା ବୃଦ୍ଧି ପାଇଁ ମଧ୍ୟ ଏହି ଚୁକ୍ତି ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ପୀୟୂଷ ଗୋଏଲ ଆହୁରି କହିଛନ୍ତି ଯେ, ସାମାଜିକ ସୁରକ୍ଷା ଚୁକ୍ତି ବ୍ରିଟେନରେ ଅସ୍ଥାୟୀ ଭାବେ କାର୍ଯ୍ୟରତ ଭାରତୀୟ ପେସାଦାରଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ। ଏହା ସହିତ ଭାରତୀୟ କମ୍ପାନି ଓ ଉଦ୍ୟୋଗଗୁଡ଼ିକର ପ୍ରତିଯୋଗିତାମୂଳକ କ୍ଷମତାକୁ ମଧ୍ୟ ଅଧିକ ସୁଦୃଢ଼ କରିବ।

ଆଜିଠାରୁ ଭାରତରେ ୟୁକେର କାର, ହ୍ୱିସ୍କି, ପୋଷାକ ଏବଂ ଜୋତା ଶସ୍ତା ହେବ। ଭାରତ ଏବଂ ୟୁକେ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁସାରେ ୯୯% ଭାରତୀୟ ସାମଗ୍ରୀ ୟୁକେକୁ ଶୂନ୍ୟ ଶୁଳ୍କରେ ରପ୍ତାନି କରାଯିବ। ସେହିପରି ୟୁକେର ୯୯% ସାମଗ୍ରୀ ହାରାହାରି ୩% ଶୁଳ୍କରେ ଆମଦାନି କରାଯିବ। ଏହାସହିତ, ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ୱିଗୁଣିତ ହୋଇ ୧୨୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ପ୍ରାୟ ୩ ବର୍ଷ ମଧ୍ୟରେ ୧୪ଟି ପର୍ଯ୍ୟାୟରେ ଆଲୋଚନା ପରେ, ୨୪ ଜୁଲାଇ ୨୦୨୫ରେ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବ୍ରିଟିଶ ବାଣିଜ୍ୟ ମନ୍ତ୍ରୀ ଜୋନାଥନ ରେନାଲ୍ଡସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।

ଏହି ଚୁକ୍ତି ଅନୁସାରେ, ୟୁକେରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ହାରାହାରି ଶୁଳ୍କ ୧୫% ରୁ ୩% କୁ ହ୍ରାସ କରାଯାଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ୮୫% ସାମଗ୍ରୀ ସମ୍ପୂର୍ଣ୍ଣ ଶୁଳ୍କମୁକ୍ତ ହୋଇଯିବ। ଫଳରେ ଅନେକ ବ୍ରିଟିସ ସାମଗ୍ରୀ ଶସ୍ତା ହୋଇଯିବ।

ୟୁକେରୁ ଆମଦାନି ହେଉଥିବା ସ୍କଚ୍ ହ୍ୱିସ୍କି ଏବଂ ଜିନ୍ ଉପରେ ଭାରତର ଶୁଳ୍କ ୧୫୦% ରୁ ୭୫% କୁ ହ୍ରାସ କରାଯିବ। ଏହା ପରେ ଚୁକ୍ତିର ଦଶମ ବର୍ଷ ସୁଦ୍ଧା ୪୦% କୁ ହ୍ରାସ କରାଯିବ। ଉଦାହରଣ ସ୍ୱରୂପ, ₹୫,୦୦୦ ମୂଲ୍ୟର ସ୍କଚ୍ ବୋତଲ ଏବେ ₹୩,୫୦୦ ରେ ଉପଲବ୍ଧ ହେବ।

ସେହିପରି ୟୁକେର ବିଳାଶପୂର୍ଣ୍ଣ କାର୍ ଯେପରିକି ଜାଗୁଆର ଲ୍ୟାଣ୍ଡ ରୋଭର ଏବଂ ରୋଲ୍ସ-ରଏସ୍ ଉପରେ ଶୁଳ୍କ ଏକ କୋଟା ସିଷ୍ଟମ ଅଧୀନରେ ୧୦୦% ରୁ ୧୦% କୁ ହ୍ରାସ କରାଯିବ। ଫଳରେ ଭାରତରେ ଏହି କାରଗୁଡ଼ିକୁ ୨୦-୩୦% ଶସ୍ତା ହେବ। ସେହିପରି ୟୁକେରୁ ଆମଦାନି ହେଉଥିବା ସାଲମନ, ମେଣ୍ଢା, ଚକୋଲେଟ୍, ବିସ୍କୁଟ ଏବଂ ମୃଦୁ ପାନୀୟ ଉପରେ ଶୁଳ୍କ ହ୍ରାସ ହେଲେ ଏଗୁଡ଼ିକ ବି ଶସ୍ତା ହେବ।

ଏହା ବାଦ ୟୁକେର ପ୍ରସାଧନ ସାମଗ୍ରୀ, ଚିକିତ୍ସା ଉପକରଣ ଏବଂ ଏରେସ୍ପେସ୍ ପାର୍ଟ୍ ଉପରେ ଶୁଳ୍କ ୧୫% ରୁ ୩% କୁ ହ୍ରାସ ପାଇବାରୁ ଏଗୁଡ଼ିକ ବି ଶସ୍ତା ହେବ। ୟୁକେରୁ ଆମଦାନି ହେଉଥିବା ବ୍ରାଣ୍ଡେଡ୍ ପୋଷାକ, ଫ୍ୟାଶନ୍ ଉତ୍ପାଦ ଏବଂ ଘରୋଇ ସାମଗ୍ରୀ ମଧ୍ୟ ଶସ୍ତା ହେବ। ଫର୍ଣ୍ଣିଚର ଏବଂ ଇଲେକ୍ଟ୍ରୋନିକ୍ସ ମଧ୍ୟ କମ ମୂଲ୍ୟରେ ଉପଲବ୍ଧ ହେବ।

ଭାରତର କେଉଁ ସେକ୍ଟରକୁ ହେବ ଫାଇଦା ?

ଏହି ଡିଲ୍ରେ ଭାରତର ବୟନଶିଳ୍ପ ଠାରୁ ଇଞ୍ଜିନିୟରିଂ, ଚିକିତ୍ସା ଏବଂ ରାସାୟନିକ କ୍ଷେତ୍ରଗୁଡ଼ିକ ଲାଭବାନ ହେବେ। ପୂର୍ବରୁ ଭାରତୀୟ ପୋଷାକ ଏବଂ ବେଡସିଟ୍ ଏବଂ ପରଦା ଭଳି ଘରୋଇ ବସ୍ତ୍ର ଉପରେ ଲାଗୁ ହେଉଥିବା ୮-୧୨% ଟିକସ ଏବେ ୟୁକେରେ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରାଯିବ। ଏହା ବାଂଲାଦେଶ ଏବଂ ଭିଏତନାମ ପରି ଦେଶ ତୁଳନାରେ ଆମର ପୋଷାକ ଶସ୍ତା ଏବଂ ଅଧିକ ପ୍ରତିଯୋଗିତାମୂଳକ କରିବ। ତିରୁପ୍ପୁର, ସୁରଟ ଏବଂ ଲୁଧିଆନା ପରି ରପ୍ତାନି କେନ୍ଦ୍ରଗୁଡ଼ିକରେ ଆଗାମୀ ତିନି ବର୍ଷ ମଧ୍ୟରେ ୪୦% ପର୍ଯ୍ୟନ୍ତ ଅଭିବୃଦ୍ଧି ଦେଖାଯାଇପାରେ।

ସେହିପରି ଭାରତର ଅଳଂକାର ଓ ଚମଡ଼ା କ୍ଷେତ୍ରର ମଧ୍ୟ ଡିମାଣ୍ଡ ବଢ଼ିବ। ଭାରତରୁ ୟୁକେକୁ ରପ୍ତାନି ହେଉଥିବା ଅଳଙ୍କାର ଏବଂ ଚମଡା ସାମଗ୍ରୀ, ଯେପରିକି ବ୍ୟାଗ ଏବଂ ଜୋତା, ଏବେ କରମୁକ୍ତ ହେବ। ଏହା ଛୋଟ ବ୍ୟବସାୟ (MSME) ଏବଂ ଲଗଜରୀ ବ୍ରାଣ୍ଡଗୁଡ଼ିକୁ ଯଥେଷ୍ଟ ଲାଭ ଦେବ। ୟୁକେ ମାଧ୍ୟମରେ ୟୁରୋପରେ ଭାରତର ପ୍ରାଧାନ୍ୟ ଆହୁରି ବୃଦ୍ଧି ପାଇବ।

ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଅଟୋ ପାର୍ଟସ୍

ୟୁକେ ଭାରତୀୟ ଯନ୍ତ୍ରପାତି, ଇଞ୍ଜିନିୟରିଂ ଉପକରଣ ଏବଂ ଅଟୋ ପାର୍ଟସ୍, ଯେପରିକି କାର୍ ପାର୍ଟସ୍ ଉପରେ ଆମଦାନୀ କର ଉଚ୍ଛେଦ କରିଛି। ଏହା ଭାରତ, ୟୁକେ ଏବଂ ୟୁରୋପ ମଧ୍ୟରେ ଶିଳ୍ପ ଯୋଗାଣ ଶୃଙ୍ଖଳାକୁ ଆହୁରି ମଜବୁତ କରିବ। ପୁଣେ, ଚେନ୍ନାଇ ଏବଂ ଗୁଡ଼ଗାଓଁ ଭଳି ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଲାଭ ମିଳିବ।

ଔଷଧ ଏବଂ ଚିକିତ୍ସା ଉପକରଣ

ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ୟୁକେରେ ଜେନେରିକ୍ ଔଷଧ ପାଇଁ ଏକ ସରଳୀକୃତ ପଞ୍ଜୀକରଣ ପ୍ରକ୍ରିୟାର ସୁବିଧା ପାଇବେ। ଏହା ୟୁକେ ସ୍ୱାସ୍ଥ୍ୟ ସେବା (NHS) କୁ ଭାରତୀୟ ଔଷଧ ପାଇଁ ସହଜ ପ୍ରବେଶ ହେବ।

ଖାଦ୍ୟ, ଚା’, ମସଲା ଏବଂ ସାମୁଦ୍ରିକ ଉତ୍ପାଦ

ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ପ୍ରିମିୟମ୍ ଚା ଏବଂ ମସଲା ଭଳି ସାମୁଦ୍ରିକ ଉତ୍ପାଦ ଉପରେ ୟୁକେ ଆମଦାନୀ ଟିକସ ଉଚ୍ଛେଦ କରାଯିବ। ଫଳରେ ଆସାମ, ଗୁଜରାଟ, କେରଳ ଏବଂ ପଶ୍ଚିମବଙ୍ଗ ଭଳି ଅଞ୍ଚଳରେ ରପ୍ତାନି ଶିଳ୍ପକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ ମିଳିବ।

ରାସାୟନିକ ପଦାର୍ଥ ଏବଂ ସ୍ପେଶାଲ ମେଟେରିଆଲ୍ସ

କୃଷି ରସାୟନ, ପ୍ଲାଷ୍ଟିକ୍ ଏବଂ ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ଉପରେ ହ୍ରାସ କରାଯାଇଥିବା ଟିକସ ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ପ୍ରମୁଖ କେନ୍ଦ୍ରଗୁଡ଼ିକରୁ ରପ୍ତାନିକୁ ବୃଦ୍ଧି କରିବ। ଏହି ଚୁକ୍ତିନାମା ଅନୁଯାୟୀ, ଭାରତ ୨୦୩୦ ସୁଦ୍ଧା ୟୁକେକୁ ଏହାର ରାସାୟନିକ ପଦାର୍ଥ ରପ୍ତାନିକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି।

୮. ଗ୍ରୀନ ଏନର୍ଜୀ ଏବଂ କ୍ଲିନଟେକ

ଏହି ଚୁକ୍ତିନାମା ରିନ୍ୟୁଏଲବଲ ଏନର୍ଜୀରେ ଜଏଣ୍ଟ ଭେଞ୍ଚର ପାଇଁ ରାସ୍ତା ଖୋଲିବ। ଯେଉଁଥିରେ ସୌର, ଗ୍ରୀନ ହାଇଡ୍ରୋଜେନ୍ ଏବଂ ବୈଦ୍ୟୁତିକ ଯାନ (EV) ଭିତ୍ତିଭୂମି ସମେତ ନବୀକରଣୀୟ ଶକ୍ତି କ୍ଷେତ୍ରରେ ମିଳିତ ଉଦ୍ୟୋଗ ପାଇଁ ପଥ ପ୍ରଶସ୍ତ ହେବ। ୟୁକେ ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆହୁରି ନିବେଶ କରିବ, ଯାହା ନୂତନ ପ୍ରଯୁକ୍ତିବିଦ୍ୟାର ବିକାଶକୁ ଆଗକୁ ନେଇଯିବ।

ଏହି ଚୁକ୍ତି ଭାରତର ଅର୍ଥନୀତି ପାଇଁ କିପରି ଲାଭଦାୟକ ହେବ?

• ବର୍ଦ୍ଧିତ ରପ୍ତାନି: ୯୯% ଭାରତୀୟ ସାମଗ୍ରୀ ୟୁକେକୁ ଶୂନ୍ୟ ଶୁଳ୍କରେ ରପ୍ତାନି କରାଯିବ। ଏହା ବୟନଶିଳ୍ପ, ଚମଡା, ରତ୍ନ ଏବଂ ଅଳଙ୍କାର, ସାମୁଦ୍ରିକ ଉତ୍ପାଦ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଭଳି କ୍ଷେତ୍ରକୁ ଲାଭ ପହଞ୍ଚାଇବ। ୨୦୩୦ ସୁଦ୍ଧା ୟୁକେକୁ ଭାରତର ରପ୍ତାନି ୨୯ ବିଲିୟନ ଡଲାରରେ ପହଞ୍ଚିପାରେ।
• ବର୍ଦ୍ଧିତ ନିଯୁକ୍ତି: ବୟନଶିଳ୍ପ ଏବଂ ଚମଡା ଭଳି ଶ୍ରମ-ସଘନ କ୍ଷେତ୍ରଗୁଡ଼ିକରେ ନୂଆ ନିଯୁକ୍ତି ସୃଷ୍ଟି ହେବ। ବୟନଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଦ୍ୱିଗୁଣିତ ହୋଇପାରେ।
• MSME ପାଇଁ ପ୍ରୋତ୍ସାହନ: ଭାରତର ୬୦ ମିଲିଅନ MSME ଲାଭବାନ ହେବେ। ଏମାନେ ଭାରତର ରପ୍ତାନିର ୪୦% ଯୋଗଦାନ ଦିଅନ୍ତି। ତେଣୁ ଏହି ଚୁକ୍ତି ସେମାନଙ୍କୁ ଏକ ନୂଆ ବଜାର ଏବଂ ଉତ୍ତମ ମାର୍ଜିନରେ ରପ୍ତାନୀ ସୁବିଧା ପ୍ରଦାନ କରିବ।
•ବର୍ଦ୍ଧିତ ନିବେଶ: ୟୁକେ କମ୍ପାନୀଗୁଡ଼ିକ ଭାରତରେ IT, ଆର୍ଥିକ ସେବା ଏବଂ ଗ୍ରୀନ ଟେକ୍ନୋଲୋଜୀରେ ନିବେଶ ବଢ଼ାଇବେ। ଏହା ଭାରତର ଉତ୍ପାଦନ ଏବଂ ସେବା କ୍ଷେତ୍ରକୁ ମଜବୁତ କରିବ।
• ଆର୍ଥିକ ଅଭିବୃଦ୍ଧି: ଏହି ଚୁକ୍ତି ୨୦୩୦ ପର୍ଯ୍ୟନ୍ତ ଭାରତ-ୟୁକେ ବାଣିଜ୍ୟକୁ ବାର୍ଷିକ ୧୫% ବୃଦ୍ଧି କରିବ। ଏହା ଭାରତକୁ ଏହାର ୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ।

ଭାରତ-ୟୁକେ ଚୁକ୍ତି ପାଇଁ ଆଲୋଚନା କେବେ ଆରମ୍ଭ ହୋଇଥିଲା ?

ଭାରତ ଏବଂ ୟୁକେ ମଧ୍ୟରେ ଚୁକ୍ତି ପାଇଁ ଆଲୋଚନା ୧୩ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇ ପ୍ରାୟ ସାଢ଼େ ୩ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୪ ମସିହାରୁ, ଭାରତ ମରିସସ୍, ୟୁଏଇ, ଅଷ୍ଟ୍ରେଲିଆ ଏବଂ EFTA (ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ) ସହିତ ତିନୋଟି ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଭାରତ ୟୁରୋପୀୟ ସଂଘ (EU) ସହିତ ସମାନ ଚୁକ୍ତି ପାଇଁ ସକ୍ରିୟ ଭାବରେ ଆଲୋଚନା କରୁଛି।

ମୁକ୍ତ ବାଣିଜ୍ୟ ଚୁକ୍ତିଗୁଡ଼ିକୁ ସେମାନଙ୍କର ପ୍ରକୃତି ଉପରେ ନିର୍ଭର କରି ଭିନ୍ନ ଭିନ୍ନ ନାମ ଦିଆଯାଇଛି। ଏଥିରେ PTA (ପ୍ରାଥମିକ), RTA (ଆଞ୍ଚଳିକ), ଏବଂ BTA (ଦ୍ୱିପାକ୍ଷିକ) ଚୁକ୍ତି ଅନ୍ତର୍ଭୁକ୍ତ। WTO ଏଭଳି ସମସ୍ତ ଆର୍ଥିକ ସମ୍ପର୍କକୁ RTA ବୋଲି କହିଥାଏ।

ଭାରତ କେଉଁ ଦେଶ ସହିତ ଏହି ଚୁକ୍ତି ସ୍ୱାକ୍ଷର କରିଛି?

ଭାରତ ବର୍ତ୍ତମାନ ଶ୍ରୀଲଙ୍କା, ଭୁଟାନ, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ମାଲେସିଆ, କୋରିଆ, ଜାପାନ, ଅଷ୍ଟ୍ରେଲିଆ, ୟୁଏଇ, ମରିସସ୍, ASEAN ଏବଂ EFTA ବ୍ଲକ ସହିତ ଏହିସବୁ ବାଣିଜ୍ୟ ଚୁକ୍ତି କରିଛି। ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI) ଅନୁଯାୟୀ, ପ୍ରମୁଖ ଏସୀୟ ଅର୍ଥନୀତି ସହିତ ଚୁକ୍ତି ସୁରକ୍ଷିତ କରିବା ପରେ, ଭାରତ ଏହାର ଏଫ୍ଟିଏ ରଣନୀତିକୁ ପୂର୍ବରୁ ସିଫ୍ଟ କରି ପଶ୍ଚିମ ଆଡ଼କୁ ନେଉଛି। ଭାରତ ବର୍ତ୍ତମାନ ରପ୍ତାନି ବିସ୍ତାର କରିବା ଏବଂ ପ୍ରମୁଖ ପାଶ୍ଚାତ୍ୟ ଅର୍ଥନୀତି ସହିତ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୟୁରୋପିୟନ ୟୁନିୟନ ଏବଂ ଆମେରିକା ସହିତ FTAକୁ ପ୍ରାଥମିକତା ଦେଉଛି।

ଭାରତ ଓ ୟୁକେ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର

ଭାରତ ୟୁକେକୁ ୨.୭୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରୁଥିବା ବେଳେ ୟୁକେ ଭାରତକୁ ୧.୮୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରୁଛି। ଭାରତ ସହିତ ୟୁକେର ବାଣିଜ୍ୟକି କ୍ଷତି ୯୦୭୦୦ କୋଟି ଟଙ୍କା ରହିଛି। ଭାରତର ମୋଟ ବ୍ୟାପାରରେ ୟୁକେର ଭାଗ ୨% ରହିଛି।

ଭାରତର ରପ୍ତାନୀ- କ୍ୟାମିକାଲ୍ସ ରେଡିମେଟ କପଡ଼ା, ଖେଳଣା, ଅଟୋପାର୍ଟ୍ସ, ସାମୁଦ୍ରିକ ଉତ୍ପାଦନ, ରତ୍ନ ଆଭୂଷଣ
ଆମଦାନୀ-ହ୍ୱିସ୍କି, ଜିନ, ମେଡିକାଲ ଡିବାଇସ, କସମେଟିକ, ମଟନ, ସେଲମନ, ବିସ୍କୁଟ,

 

Leave a comment