ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଛାଇ ଭଳି ରହୁଥିବା ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାରତୀୟ ସେନାରୁ ସମୟପୂର୍ବ ଅବସର ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ଏଡ-ଡି-କ୍ୟାମ୍ପ (ଏଡିସି) ଭାବେ କାମ କରି ସୋସିଆଲ ମିଡିଆରେ ସାରା ଦେଶରେ ଚର୍ଚ୍ଚାର ପାତ୍ର ପାଲଟିଥିଲେ। ଋଷଭ ସିଂହ ଔପଚାରିକ ଭାବେ ପଦ ଛାଡିବା ପରେ ଅଗଷ୍ଟ ୨୧ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ତାଙ୍କର ଏହି ସାକ୍ଷାତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।
ଋଷଭ ପରେ ପୋଷ୍ଟ ଏବଂ ଭିଡିଓରେ ଏହି ସାକ୍ଷାତକୁ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଓ ଆଶିର୍ବାଦ ଲାଗି କୃତଜ୍ଞତା ଜଣାଇବାର ଏକ ସୁଯୋଗ ବୋଲି କହିଛନ୍ତି। ସାଂବ୍ୟାଲ ପ୍ରଥମ ଥର ୨୦୨୧ରେ ଜାଟ୍ ରେଜିମେଣ୍ଟ କ୍ୟାପ୍ଟେନ ଭାବେ ଚର୍ଚ୍ଚାକୁ ଆସିଥିଲେ। ସେ ଗଣତନ୍ତ୍ର ଦିବସ ପ୍ୟାରେଡରେ ରେଜିମେଣ୍ଟର ନେତୃତ୍ୱ ନେଇଥିଲେ ଓ ବେଷ୍ଟ ମାର୍ଚ୍ଚିଂ କଣ୍ଟିଜେଣ୍ଟ ଟ୍ରଫି ଜିତିଥିଲେ। ପରେ ଫୋର ପାରା ଫୋର୍ସେସ୍ (ସ୍ପେଶାଲ ଫୋର୍ସ)ରେ ସାମିଲ ହେବା ପାଇଁ ସ୍ୱେଛାରେ କଷ୍ଟକର ସିଲେକ୍ସନ ପ୍ରୋସେସ ପୁରା କରିବା ସହ ବଳିଦାନ ବ୍ୟାଜ୍ ହାସଲ କରିଥିଲେ। ଏହି ସମ୍ମାନ ଖୁବ କ୍ୱଚିତ ଭଲେଣ୍ଟିୟର୍ସଙ୍କୁ ମିଳିଥାଏ।
ମେଜର ଋଷଭ ସିଂହ ସାଂବ୍ୟାଲ ଜମ୍ମୁର ଏକ ଡୋଗ୍ରା ରାଜପୁତ ପରିବାରରେ ଜନ୍ମିତ। ସେ ନ୍ୟାସନାଲ ଡିଫେନ୍ସ ଆକାଡେମୀ (ଏନଡିଏ)ରେ ୩ ବର୍ଷ ଓ ଇଣ୍ଡିଆନ ମିଲେଟ୍ରି ଆକାଡେମୀରେ ଗୋଟିଏ ବର୍ଷ ବିତେଇବା ପରେ ସେ ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ କମିଶନ ପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଏହିଭଳି ସେ ମୋଟ ୧୨ ବର୍ଷ ପର୍ଯ୍ୟନ୍ତ ସଙ୍ଗଠନ ସହ ଜଡିତ ଥିଲେ। ତାଙ୍କୁ ୨୦୨୪-୨୫ରେ ରାଷ୍ଟ୍ରପତିଙ୍କ ଏଡିସି ଭାବେ ବଛା ଯାଇଥିଲା। ଏଡିସି ଭାବେ ପ୍ରୋଟକଲ ସମ୍ଭାଳିବା, ଅଧିକାରୀକ କାର୍ଯ୍ୟକ୍ରମ ଓ ଯାତ୍ରା କାଳରେ ରାଷ୍ଟ୍ରପତିଙ୍କ ସହିତ ରହିବା। ସମ୍ବେଦନଶୀଳ ମାମଲାରେ ତାଳମେଳ ରକ୍ଷା କରିବା ଓ ପର୍ଦ୍ଦା ପଛରେ ରହି ପ୍ରତ୍ୟେକ ସମୟରେ ସତର୍କ ରହିବାକୁ ପଡିଥାଏ।
ସେ ଅବସର ପରେ ଜାରି କରିଥିବା ଭିଡିଓରେ ଲୋକଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଦ୍ଦି ପିନ୍ଧିବା ତାଙ୍କ ପିଲା ଦିନର ଇଛା ଥିଲା। ହେଲେ ସେ ଏହାକୁ ଓହ୍ଲାଇବେ ବୋଲି କେବେ ଭାବିନଥିଲେ। ତେବେ ସେ କହିଛନ୍ତି ଯେ ଜୀବନରେ ଏପରି ସମୟ ଓ ପରିସ୍ଥିତି ଆସେ ଯାହା ଜୀବନକୁ ସବୁଦିନ ପାଇଁ ବଦଳାଇ ଦିଏ। ଅବସର ନେବା ତାଙ୍କ ପାରିବାରିକ ଓ ବ୍ୟକ୍ତିଗତ କାରଣ ବୋଲି କହିଛନ୍ତି। ତେବେ ସେ ଯାହା ବି କିଛି ପାଇଛନ୍ତି ସେଥିରେ ସେ ବେଶ ଖୁସି ଅଛନ୍ତି। ସେ ସଂକେତ ଦେଇଛନ୍ତି ଯେ ତାଙ୍କ ପରବର୍ତ୍ତି ପଦକ୍ଷେପ ସମ୍ପର୍କରେ ସେ ଉଚିତ ସମୟରେ ଘୋଷଣା କରିବେ।