ଜଣେ ମହିଳାଙ୍କ ଜୀବନର ପ୍ରାୟ ୧୧ ବର୍ଷ ରୋଗ, ଦୁର୍ବଳତା କିମ୍ବା ଶାରୀରିକ ସମସ୍ୟା ଭିତରେ ହିଁ କଟିଥାଏ – ଡବ୍ଲ୍ୟୁଏଚ୍ଓ
ଭାରତରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ବର୍ଷ ବଞ୍ଚୁଛନ୍ତି ସତ, କିନ୍ତୁ ସ୍ୱାସ୍ଥ୍ୟ ମାମଲାରେ ସେମାନେ ପଛରେ ପଡ଼ିଯାଉଛନ୍ତି। ଅର୍ଥାତ୍, ଜୀବନର ଏକ ବଡ଼ ସମୟ ସେମାନଙ୍କୁ ରୋଗ ଓ ଶାରୀରିକ କଷ୍ଟ ସହିତ ବିତାଇବାକୁ ପଡ଼ୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ରିପୋର୍ଟରୁ ଏଭଳି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି।
ରିପୋର୍ଟ କଣ କହୁଛି?
ଡବ୍ଲ୍ୟୁଏଚ୍ଓ (WHO) ଅନୁସାରେ, ଭାରତୀୟ ମହିଳାଙ୍କ ହାରାହାରି ଆୟୁଷ ୬୯ ବର୍ଷ ହୋଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୬୫.୫ ବର୍ଷ। କିନ୍ତୁ ଯେତେବେଳେ ‘ସୁସ୍ଥ ଜୀବନକାଳ’ କଥା ଆସେ, ସେତେବେଳେ ଏହି ବ୍ୟବଧାନ ପ୍ରାୟ ଶେଷ ହୋଇଯାଏ। ମହିଳାମାନେ ହାରାହାରି ୫୮.୩ ବର୍ଷ ଏବଂ ପୁରୁଷମାନେ ୫୮ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିପାରୁଛନ୍ତି।
ମହିଳା ଓ ପୁରୁଷଙ୍କ ସ୍ୱାସ୍ଥ୍ୟ ସ୍ଥିତି:
ଏହାର ସହଜ ଅର୍ଥ ହେଉଛି, ମହିଳାମାନେ ସେମାନଙ୍କ ଜୀବନର ପ୍ରାୟ ୧୫.୫ ପ୍ରତିଶତ ସମୟ ଖରାପ ସ୍ୱାସ୍ଥ୍ୟରେ ବିତାଉଛନ୍ତି, ଯାହା ପୁରୁଷଙ୍କ କ୍ଷେତ୍ରରେ ୧୧. ୯ ପ୍ରତିଶତ। ସରଳ ଭାଷାରେ କହିଲେ, ଜଣେ ମହିଳାଙ୍କ ଜୀବନର ପ୍ରାୟ ୧୧ ବର୍ଷ ରୋଗ, ଦୁର୍ବଳତା କିମ୍ବା ଶାରୀରିକ ସମସ୍ୟା ଭିତରେ ହିଁ କଟିଯାଇଥାଏ।
ସବୁଠୁ ବଡ଼ ଶତ୍ରୁ ରକ୍ତହୀନତା
ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପଛରେ ସବୁଠୁ ବଡ଼ କାରଣ ସାଜିଛି ଆନିମିଆ। ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ଅନୁଯାୟୀ, ଦେଶରେ ୧୫ ରୁ ୪୯ ବର୍ଷ ବୟସର ପ୍ରାୟ ୫୭ ପ୍ରତିଶତ ମହିଳା ରକ୍ତହୀନତାର ଶିକାର। ଅପରପକ୍ଷେ, ପୁରୁଷଙ୍କ କ୍ଷେତ୍ରରେ ଏହି ସଂଖ୍ୟା ମାତ୍ର ୨୫ ପ୍ରତିଶତ। ରକ୍ତହୀନତା ଯୋଗୁଁ ଶରୀରରେ ପ୍ରବଳ ଥକ୍କାପଣ, ଦୁର୍ବଳତା, ରୋଗ ପ୍ରତିରୋଧକ ଶକ୍ତି କମିବା ଏବଂ ଗର୍ଭାବସ୍ଥା ସମୟରେ ଜଟିଳ ସମସ୍ୟା ଦେଖାଦେଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମହିଳାଙ୍କ ଶରୀରରେ ଆଇରନ୍, ଭିଟାମିନ୍ ବି-୧୨ ଏବଂ ଭିଟାମିନ୍-ଡି ର ପ୍ରବଳ ଅଭାବ ଦେଖାଯାଉଛି। ଏହା ସହିତ ଅସନ୍ତୁଳିତ ଖାଦ୍ୟପେୟ, ଗରିବୀ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଯୋଗୁଁ ସେମାନେ ଶୀଘ୍ର ରୋଗାକ୍ରାନ୍ତ ହେଉଛନ୍ତି। ଏହାର ସିଧାସଳଖ ପ୍ରଭାବ ସେମାନଙ୍କ କାର୍ଯ୍ୟଦକ୍ଷତା, ଗର୍ଭବତୀ ସମୟର ସ୍ୱାସ୍ଥ୍ୟ, ଶିଶୁର ବିକାଶ ଏବଂ ବାର୍ଦ୍ଧକ୍ୟରେ ହାଡ଼ ଦୁର୍ବଳ ହେବା ଭଳି ସମସ୍ୟା ଉପରେ ପଡୁଛି।
ମହିଳାମାନଙ୍କୁ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚାଇବା ପାଇଁ ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ସବୁଜ ପନିପରିବା, ଡାଲି, ଫଳ ଏବଂ ଆଇରନ୍ ଯୁକ୍ତ ଖାଦ୍ୟ ସାମିଲ କରିବା ଜରୁରୀ। ଶରୀରରେ ରକ୍ତର ପରିମାଣ ଓ ଭିଟାମିନ୍ର ଯାଞ୍ଚ ପାଇଁ ସମୟ ସମୟରେ ହେଲଥ୍ ଚେକଅପ୍ କରିବା ଆବଶ୍ୟକ। ଝିଅମାନଙ୍କୁ ପିଲାଦିନରୁ ହିଁ ଉତ୍ତମ ପୋଷଣ ଯୋଗାଇ ଦେବା ଉଚିତ୍, ଯଦ୍ୱାରା ସେମାନଙ୍କ ଶରୀର ମଜବୁତ ରହିବ। ମହିଳାମାନେ ପରିବାରର ଯତ୍ନ ନେବା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବେ ସମୟର ବଡ଼ ଆବଶ୍ୟକତା। ସେମାନେ ସୁସ୍ଥ ରହିଲେ ହିଁ ଏକ ସୁସ୍ଥ ସମାଜ ଗଠନ ସମ୍ଭବ।