ଦୀପାବଳି ଆତସବାଜୀ ହେଲା କାଳ, ୭୪ ଜଣଙ୍କ ଆଖିକୁ ଦେଖା ଯାଉନି
ବେଙ୍ଗାଲୁରୁରେ ଦୀପାବଳି ପାଳନ ବେଳେ ଆଖିରେ ଆଘାତ ଲାଗିବାର କେତେକ ମାମଲା ସାମ୍ନାକୁ ଆସିଛି। ହସ୍ପିଟାଲ ଅଧିକାରୀମାନେ ବୁଧବାର କହିଛନ୍ତି ଯେ ମିଣ୍ଟୋ ଅପଥଲ୍ମିକ ହସ୍ପିଟାଲ ଓ ନାରାୟଣ ନେତ୍ରାଳୟକୁ ବାଣ ଫୁଟି ଆଖିରେ ଆଘାତ ଲାଗିବାର ୭୪ଟି ମାମଲା ମଙ୍ଗଳବାର ଆସିଥିଲା। ଏଥିରେ ପିଲାଙ୍କ ସମେତ ଆଖପାଖର ଲୋକେ ବି ଆହତ ହୋଇଛନ୍ତି। ମିଣ୍ଟୋ ହସ୍ପିଟାଲ ତଥ୍ୟ ଅନୁସାରେ ୬ରୁ ୯ ନଭେମ୍ବର ମଧ୍ୟରେ ବାଣଫୁଟି ଆଖିରେ ଆଘାତ ଲାଗିବାର ୨୮ ଜଣ ଚିକିତ୍ସିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ଜଣ ପିଲା ଥିବା ବେଳେ ୧୮ ଜଣ ବୟଷ୍କ ଲୋକେ ଅଛନ୍ତି।
ସୂଚନାରୁ ଜଣାପଡିଛି ଯେ ଏପରି ୧୨ ଜଣ ଲୋକେ ଚିକିତ୍ସିତ ହୋଇଛନ୍ତି ଯେଉଁମାନେ ବାଣଫୁଟାଇବା ବେଳେ ଆହତ ହୋଇଛନ୍ତି। ସେହିପରି ବାଣ ଆଖପାଖରେ ଫୁଟିବା ଯୋଗୁ ୧୬ ଜଣ ଆହତ ହୋଇଛନ୍ତି। ଚିକିତ୍ସିତ ହୋଇଥିବା ଲୋକଙ୍କ ମଧ୍ୟରେ ୨୫ ଜଣ ବେଙ୍ଗାଲୁରୁର ହୋଇଥିବା ବେଳେ ବାକି ଲୋକେ ଡୋଡ୍ଡାବଲ୍ଲାପୁରା,ମୈସୁର ଓ ରାୟଚୁରର ଥିଲେ। ହସ୍ପିଟାଲ ସୂତ୍ର ଅନୁସାରେ ଲୋକେ ବିଜଲୀ, ଆଟମବମ, ସ୍କାଏ ସଟସ୍ ଓ ଲକ୍ଷ୍ମୀବମ ଫୁଟି ଆହତ ହୋଇଛନ୍ତି।
ରାଜାଜୀନଗରସ୍ଥିତ ନାରାୟଣ ନେତ୍ରାଳୟ ତଥ୍ୟ ଅନୁସାରେ ନଭେମ୍ବର ୭ ତାରିଖରୁ ୧୦ ତାରିଖ ସକାଳ ୧୧ଟା ସୁଦ୍ଧା ଏହପରି ଆଖିରେ ଆଘାତ ଲାଗିଥିବା ୪୬ ଜଣଙ୍କ ଚିକିତ୍ସା ହୋଇଛି। ଏମାନଙ୍କ ମଧ୍ୟରୁ ୨୫ ଜଣ ପିଲା ଥିବା ବେଳେ ୧୬ ଜଣ ଆଖପାଖରେ ବାଣଫୁଟି ଓ ୩୦ ଜଣ ଲୋକ ନିଜେ ବାଣ ଫୁଟାଇ ଆହତ ହୋଇଛନ୍ତି। ୪୪ ଜଣଙ୍କ ଚିକିତ୍ସା ଔଷଧରେ ହୋଇଛି ତେବେ ଜଣଙ୍କଠାରେ ଅସ୍ତ୍ରୋପଚାର କରାଯାଇଛି। ସେହିପରି ଆଉଜଣକୁ କାର୍ଣ୍ଣିଆ ଫାଟିବା ଯୋଗୁ ଅସ୍ତ୍ରୋପଚାର ଲାଗି ପରାମର୍ଶ ଦିଆଯାଇଛି।
ନାରାୟଣ ନେତ୍ରାଳୟ ନିର୍ଦ୍ଦେଶକ ଡା.ନରେନ ସେଟ୍ଟୀ ଅଭିଭାବକଙ୍କୁ ପିଲାଙ୍କୁ ବାଣ ଫୁଟାଇବା ଲାଗି ଏକାକୀ ନଛାଡିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ପିଲାଙ୍କୁ ବାଣଠାରୁ ସୁରକ୍ଷିତ ଦୂରରେ ରଖିବାକୁ କହିଛନ୍ତି। ଏହାଛଡା ଆତସବାଜୀ ବେଳେ ଚଷମା ପିନ୍ଧିବାକୁ ମଧ୍ୟ କହିଛନ୍ତି। ଏହା ଦ୍ୱାରା ବାଣ ଓ ଧୂଆଁ ଅଖି ଉପରେ ସିଧାସଳଖ ପ୍ରଭାବ ପକାଇ ପାରିବନି ବୋଲି କହିଛନ୍ତି।