ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଦମଦାର ପ୍ରଦର୍ଶନ ,ଦ୍ୱିତୀୟ ଦିନରେ ଆୟରେ ହ୍ରାସ ହେଲେ ତୃତୀୟ ଦିନରେ ପୁଣି ଥରେ କମାଲ୍ କରିଛି ଏହି ଫିଲ୍ମ
ବକ୍ସ ଅଫିସରେ ଜାରି ରହିଛି ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଦମଦାର ପ୍ରଦର୍ଶନ। ରିଲିଜ୍ ହେବା ପରଠାରୁ ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି। ପ୍ରଥମ ଦିନର ଜବରଦସ୍ତ ଓପନିଂ ପରେ ଦ୍ୱିତୀୟ ଦିନରେ ଆୟରେ ହ୍ରାସ ଦେଖିବାକୁ ମିଳିଥିଲା। ହେଲେ ତୃତୀୟ ଦିନରେ ପୁଣି ଥରେ କମାଲ୍ କରିଛି ଏହି ଫିଲ୍ମ।
ଦେଶରେ ଦିୱାଲୀ ମାହୋଲ ଚାଲିଥିବା ବେଳେ ସିନେମାର କ୍ରେଜ ଦ୍ୱିଗୁଣିତ ହୋଇଛି । ଶନିବାର ଅର୍ଥାତ୍ ରିଲିଜ୍ର ତୃତୀୟ ଦିନରେ ଫିଲ୍ମର ଆୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ଟ୍ରେଡ୍ ରିପୋର୍ଟରେ ଆକଳନ କରାଯାଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ଶନିବାର ଫିଲ୍ମଟି ପ୍ରାୟ ୫୦ରୁ ୫୧ କୋଟି ଟଙ୍କାର ବ୍ୟବସାୟ କରିଛି।
ପ୍ରଥମ ଦିନରେ ଭଲ ଆୟ କରିଥିବା ଫିଲ୍ମଟି ଦ୍ୱିତୀୟ ଦିନରେ କିଛିଟା ପଛକୁ ହଟିଥିଲା। ଦ୍ୱିତୀୟ ଦିନର ଆୟରେ ପ୍ରଥମ ଦିନ ତୁଳନାରେ ୨୫ ପ୍ରତିଶତରୁ ଅଧିକ ହ୍ରାସ ରେକର୍ଡ ହୋଇଥିଲା। କିନ୍ତୁ ଶନିବାର ଦର୍ଶକଙ୍କ ଭିଡ଼ ବଢ଼ିବା ସହ ଫିଲ୍ମର ବ୍ୟବସାୟ ପୁଣି ଉପରକୁ ଉଠିଛି ।ଦର୍ଶକଙ୍କ ଭଲ ପ୍ରତିକ୍ରିୟା ସହ ସମୀକ୍ଷକଙ୍କ ପ୍ରଶଂସା ମଧ୍ୟ ଫିଲ୍ମର ବ୍ୟବସାୟକୁ ସହାୟତା କରୁଥିବା କୁହାଯାଉଛି। ତେବେ ତୃତୀୟ ଦିନର ଏହି ଆୟ ପ୍ରାରମ୍ଭିକ ଆକଳନ ହୋଇଥିବାରୁ ଚୂଡ଼ାନ୍ତ ବକ୍ସ ଅଫିସ୍ ରିପୋର୍ଟରେ ଏଥିରେ ପରିବର୍ତ୍ତନ ହୋଇପାରେ। ଏବେ ସମସ୍ତଙ୍କ ନଜର ଫିଲ୍ମର ଆଗାମୀ ଦିନର ବ୍ୟବସାୟ ଉପରେ ରହିଛି। ଛୁଟିଦିନରେ ‘ରାମାୟଣ’ ଆୟର ନୂଆ ରେକର୍ଡ କରିପାରୁଛି କି ନାହିଁ, ତାହା ଦେଖିବାକୁ ରହିଲା।