ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତରେ ଲଞ୍ଚ ହୋଇଛି Apple Pay
ଭାରତରେ ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ Apple Pay ଲଞ୍ଚ ହୋଇଛି । ଦୀର୍ଘ କିଛି ମାସ ଧରି ଚାଲିଥିବା ଖବର ଓ ଚର୍ଚ୍ଚା ପରେ Apple ବୁଧବାର ଦେଶରେ ନିଜର Tap-to-Pay ସର୍ଭିସ୍ ଆରମ୍ଭ କରିଛି । ସବୁଠାରୁ ବଡ଼ କଥା ହେଉଛି, Apple Pay ପ୍ରଥମେ ଆମେରିକାରେ ସେପ୍ଟେମ୍ବର ୨୦୧୪ରେ ଲଞ୍ଚ ହୋଇଥିଲା । ଅର୍ଥାତ୍ ପ୍ରାୟ ୧୨ ବର୍ଷ ପରେ ଭାରତରେ ଏହାର ଏଣ୍ଟ୍ରି ହୋଇଛି । ଭାରତରେ Apple, Axis Bank ସହଭାଗିତାରେ Apple Payର ଶୁଭାରମ୍ଭ କରିଛି। ବର୍ତ୍ତମାନ ୟୁଜର୍ସ କେବଳ Axis Bank ପକ୍ଷରୁ ଜାରି Visa ଏବଂ Mastercard କ୍ରେଡିଟ୍ କାର୍ଡକୁ Apple Payରେ ଯୋଡ଼ିପାରିବେ। କମ୍ପାନୀ କହିଛି ଯେ ୟୁଜର୍ସଙ୍କ ପେମେଣ୍ଟ ଏବଂ ଆର୍ଥିକ ତଥ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। Apple Pay ବର୍ତ୍ତମାନ ଚୟନିତ Apple ଡିଭାଇସରେ ଉପଲବ୍ଧ ହେବ । ୟୁଜର୍ସ iPhone, iPad ଏବଂ Apple Watch ଜରିଆରେ ପେମେଣ୍ଟ କରିପାରିବେ ।
କମ୍ପାନୀ କହିଛି ଯେ ଆଗାମୀ ଦିନରେ Mac ଡିଭାଇସରେ ମଧ୍ୟ Apple Pay ସପୋର୍ଟ ଦିଆଯିବ। Apple Pay ଜରିଆରେ ୟୁଜର୍ସ ଦୋକାନରେ କାର୍ଡ ବାହାର ନକରି ସହଜରେ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଅନଲାଇନ୍ ମର୍ଚାଣ୍ଟଙ୍କୁ ପେମେଣ୍ଟ କରିବା ଏବଂ ଆପ୍ ଭିତରେ କିଣାକିଣି ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ଫିଜିକାଲ୍ ଷ୍ଟୋରରେ ପେମେଣ୍ଟ କରିବା ପାଇଁ ଦୋକାନର PoS ମେସିନରେ NFC ଅର୍ଥାତ୍ Tap-to-Pay ସୁବିଧା ରହିବା ଆବଶ୍ୟକ । ଏଭଳି ମେସିନରେ ୟୁଜର୍ ନିଜ Apple ଡିଭାଇସକୁ ଟ୍ୟାପ୍ କରି ପେମେଣ୍ଟ କରିପାରିବେ।
Apple Payରେ ପେମେଣ୍ଟ କରିବାର ପ୍ରକ୍ରିୟା ମଧ୍ୟ ବେଶ୍ ସହଜ । NFC ସୁବିଧା ଥିବା PoS ମେସିନରେ iPhone, Apple Watch କିମ୍ବା ଅନ୍ୟ ସପୋର୍ଟେଡ୍ Apple ଡିଭାଇସକୁ ଟ୍ୟାପ୍ କଲେ ପେମେଣ୍ଟ ହୋଇଯିବ । କମ୍ପାନୀ ଅନୁସାରେ, ଚେକଆଉଟ୍ ସମୟରେ ଅଲଗା ଭାବେ PIN କିମ୍ବା OTP ଦେବାର ଆବଶ୍ୟକତା ରହିବ ନାହିଁ। ତେବେ ପେମେଣ୍ଟର ସୁରକ୍ଷା Appleର ଡିଭାଇସ୍ ସିକ୍ୟୁରିଟି ସିଷ୍ଟମ୍ ସହ ଜଡ଼ିତ ରହିବ । ଅର୍ଥାତ୍ କେବଳ ଫୋନକୁ PoS ମେସିନ୍ ନିକଟକୁ ନେଇଗଲେ କେହି ଆପଣଙ୍କ କାର୍ଡ ସମ୍ପର୍କିତ ଡାଟା ହାସଲ କରିପାରିବେ ନାହିଁ । Apple କହିଛି ଯେ Apple Pay ଜରିଆରେ ହେଉଥିବା ଟ୍ରାଞ୍ଜାକ୍ସନର ସୂଚନା କମ୍ପାନୀ ନିଜ ପାଖରେ ସଂରକ୍ଷଣ କରେ ନାହିଁ । ପେମେଣ୍ଟ ସମ୍ପର୍କିତ ଡାଟା ୟୁଜର୍, ବ୍ୟବସାୟୀ ଏବଂ ବ୍ୟାଙ୍କ କିମ୍ବା କାର୍ଡ ଜାରି କରୁଥିବା କମ୍ପାନୀ ମଧ୍ୟରେ ସୀମିତ ରହେ । Apple ଅନୁସାରେ, ଭାରତରେ ଲଞ୍ଚ ହେବା ପରେ Apple Pay ବର୍ତ୍ତମାନ ବିଶ୍ୱର ୯୦ରୁ ଅଧିକ ଦେଶ ଏବଂ ଅଞ୍ଚଳରେ ଉପଲବ୍ଧ ହୋଇଛି ।
ସାରା ବିଶ୍ୱରେ ୧୧,୦୦୦ରୁ ଅଧିକ ବ୍ୟାଙ୍କ ଏବଂ ପେମେଣ୍ଟ ନେଟୱର୍କ ପାର୍ଟନର Apple Pay ସହ ଯୋଡ଼ି ହୋଇଛନ୍ତି । ଯଦି ଆପଣଙ୍କ ପାଖରେ Axis Bankର Visa କିମ୍ବା Mastercard କ୍ରେଡିଟ୍ କାର୍ଡ ରହିଛି, ତେବେ ଏହାକୁ Apple Payରେ ଯୋଡ଼ିବା ସହଜ। ଏଥିପାଇଁ ଆପଣ Axis Bank ଆପ୍ର ଲାଟେଷ୍ଟ ଭର୍ସନ୍ ବ୍ୟବହାର କରି କାର୍ଡକୁ ସିଧାସଳଖ Apple Walletରେ ଯୋଡ଼ିପାରିବେ। ଏହା ବ୍ୟତୀତ iPhoneରେ Apple Wallet ଆପ୍ ଖୋଲି ‘+’ ବଟନ୍ ଦବାଇବାକୁ ହେବ । ଏହାପରେ ସ୍କ୍ରିନରେ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରି ନିଜ Axis Bank କ୍ରେଡିଟ୍ କାର୍ଡ ଯୋଡ଼ିପାରିବେ। କାର୍ଡ ଯୋଡ଼ିବା ପରେ ଯେଉଁଠାରେ NFC ସୁବିଧା ଥିବା PoS ମେସିନ୍ ଉପଲବ୍ଧ ରହିବ, ସେଠାରେ Apple ଡିଭାଇସକୁ ଟ୍ୟାପ୍ କରି ପେମେଣ୍ଟ କରାଯାଇପାରିବ। ବର୍ତ୍ତମାନ ଭାରତରେ Apple Payର ଶୁଭାରମ୍ଭ Axis Bankର Visa ଏବଂ Mastercard କ୍ରେଡିଟ୍ କାର୍ଡ ସହ କରାଯାଇଛି । ଆଗାମୀ ଦିନରେ Apple ଏହି ସର୍ଭିସରେ ଅଧିକ ଡିଭାଇସ୍, କାର୍ଡ ଏବଂ ବ୍ୟାଙ୍କକୁ ସାମିଲ କରିପାରେ।