ପିତୃ ପକ୍ଷରେ କେଉଁ ୫ଟି ଜୀବ ଘରକୁ ଆସିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ ଏବଂ ଏହା କେଉଁ କଥାର ସଙ୍କେତ ଦିଏ ଆସନ୍ତୁ ସେସମ୍ପର୍କରେ ଜାଣିବା
ବର୍ତ୍ତମାନ ପିତୃ ପକ୍ଷ ଆରମ୍ଭ ହୋଇସାରିଛି । ଏହି ସମୟକୁ ପିତୃ ପୁରୁଷମାନଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତା ପ୍ରକାଶ କରିବାର ଏକ ପବିତ୍ର ଅବସର ବୋଲି ମନାଯାଇଥାଏ । ମାନ୍ୟତା ଅନୁଯାୟୀ, ଏହି ୧୬ ଦିନ ମଧ୍ୟରେ ଆମ ପିତୃପୁରୁଷମାନେ ଦେବଲୋକରୁ ପୃଥିବୀକୁ ଆସି ନିଜ ପରିଜନମାନଙ୍କ ମଧ୍ୟରେ ରହନ୍ତି ଏବଂ ବିଭିନ୍ନ ମାଧ୍ୟମରେ ଆଶୀର୍ବାଦ କିମ୍ବା ସଙ୍କେତ ଦିଅନ୍ତି ।
ଗରୁଡ଼ ପୁରାଣ ଓ ଧାର୍ମିକ ଗ୍ରନ୍ଥଗୁଡ଼ିକ ଅନୁସାରେ ପିତୃ ପକ୍ଷ ସମୟରେ ଆମ ପୂର୍ବଜମାନେ ନିଜେ କୌଣସି ନା କୌଣସି ଜୀବ ରୂପରେ ଆପଣଙ୍କ ଘରକୁ ଆସିପାରନ୍ତି । ଏହି ସମୟରେ ଯଦି କୌଣସି ବିଶେଷ ଜୀବ ଆପଣଙ୍କ ଘରକୁ ଆସେ କିମ୍ବା ଖାଦ୍ୟ ମାଗେ, ତେବେ ତାକୁ ଭୁଲରେ ମଧ୍ୟ ଘଉଡ଼ାଇଦିଅନ୍ତୁ ନାହିଁ କିମ୍ବା କଷ୍ଟ ଦିଅନ୍ତୁ ନାହିଁ । ଜ୍ୟୋତିଷଶାସ୍ତ୍ରରେ ଏହାକୁ ପିତୃପୁରୁଷମାନେ ପ୍ରସନ୍ନ ହେବା ଏବଂ ଘରକୁ ସୁଖ-ସମୃଦ୍ଧି ଆସିବାର ପ୍ରତ୍ୟକ୍ଷ ସଙ୍କେତ ବୋଲି ମନାଯାଏ । ତେବେ ପିତୃ ପକ୍ଷରେ କେଉଁ ୫ଟି ଜୀବ ଘରକୁ ଆସିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ ଏବଂ ଏହା କେଉଁ କଥାର ସଙ୍କେତ ଦିଏ ଆସନ୍ତୁ ସେସମ୍ପର୍କରେ ଜାଣିବା ।
କାଉ:
ପିତୃ ପକ୍ଷରେ କାଉର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି । ଶାସ୍ତ୍ରରେ କାଉକୁ ପିତୃପୁରୁଷଙ୍କ ରୂପ କିମ୍ବା ସନ୍ଦେଶବାହକ ବୋଲି ମନାଯାଏ । ଯଦି ପିତୃ ପକ୍ଷ ସମୟରେ କୌଣସି କାଉ ଆପଣଙ୍କ ଘରର ଛାତ କିମ୍ବା ବାଲକୋନିକୁ ଆସି ରାବ କରେ କିମ୍ବା ଆପଣ ରଖିଥିବା ଖାଦ୍ୟକୁ ଶାନ୍ତିରେ ଖାଇଥାଏ, ତେବେ ଏହାକୁ ପୂର୍ବଜମାନେ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଥିବାର ସଙ୍କେତ ବୋଲି ମନାଯାଏ । ଏହାଦ୍ୱାରା ଘରର ପିତୃ ଦୋଷ ଦୂର ହୁଏ ଏବଂ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
କଳା ପିମ୍ପୁଡ଼ି:
ଘରର ଅଗଣା କିମ୍ବା ରୋଷେଇଘର ପାଖରେ କଳା ପିମ୍ପୁଡ଼ିମାନଙ୍କୁ ଦଳବଦ୍ଧ ଭାବେ ଦେଖାଯିବାକୁ ଶୁଭ ସଙ୍କେତ ବୋଲି ମନାଯାଏ । ପିତୃ ପକ୍ଷ ସମୟରେ ଯଦି କଳା ପିମ୍ପୁଡ଼ିମାନେ ଧାଡ଼ି ହୋଇ ଯାଉଥିବା ଦେଖାଯାଏ, ତେବେ ଏହା ପୂର୍ବଜମାନେ ଆପଣଙ୍କ ଘରରୁ ଦାରିଦ୍ର୍ୟ ଦୂର କରୁଥିବାର ସଙ୍କେତ ଦେଇଥାଆନ୍ତି ବୋଲି ବିଶ୍ୱାସ କରାଯାଏ । ସେମାନଙ୍କୁ ଚିନି କିମ୍ବା ଅଟା ଖାଇବାକୁ ଦେବା ଉଚିତ । ଫଳରେ ବ୍ୟବସାୟରେ ଲାଭ ଏବଂ ଋଣରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି ।
କଳା କୁକୁର:
କୁକୁରଙ୍କୁ ଭଗବାନ ଭୈରବଙ୍କ ବାହନ ଏବଂ ଯମରାଜଙ୍କ ଦ୍ୱାରପାଳ ବୋଲି ମଧ୍ୟ କୁହାଯାଏ । ଯଦି ପିତୃ ପକ୍ଷ ସମୟରେ କୌଣସି କଳା କୁକୁର ଆପଣଙ୍କ ଘରର ମୁଖ୍ୟ ଦ୍ୱାରକୁ ଆସେ କିମ୍ବା ଲାଞ୍ଜ ହଲାଇ ଖାଦ୍ୟ ପାଇଁ ଆଶାବାଦୀ ରୁହେ ତେବେ ତାକୁ ରୁଟି କିମ୍ବା ବିସ୍କୁଟ ଖୁଆଇ ଦିଅନ୍ତୁ । ଯାହା ଦ୍ୱାରା ଅଘଟଣ ଟଳିଯାଏ । ରାହୁ-କେତୁଙ୍କ ଅଶୁଭ ପ୍ରଭାବ ଦୂର ହୁଏ ଏବଂ ପିତୃପୁରୁଷମାନେ ପ୍ରସନ୍ନ ହୋଇ ସୁରକ୍ଷାର କବଚ ପ୍ରଦାନ କରନ୍ତି ବୋଲି ବିବେଚନା କରାଯାଏ ।
ଗାଈ:
ହିନ୍ଦୁ ଧର୍ମରେ ଗାଈ ମଧ୍ୟରେ ୩୩ କୋଟି ଦେବାଦେବୀଙ୍କ ବାସ କରନ୍ତି ବୋଲି ବିଶ୍ବାସ ରହିଛି । ଶ୍ରାଦ୍ଧ ସମୟରେ ‘ଗୋଗ୍ରାସ’ ବାହାର କରିବାର ପରମ୍ପରା ରହିଛି । ଯଦି ପିତୃ ପକ୍ଷ ସମୟରେ କୌଣସି ଗାଈ ନିଜେ ଚାଲିଆସି ଆପଣଙ୍କ ଘରର ଦ୍ୱାରରେ ଠିଆ ହୋଇ ରେମ୍ଭାଳି ଛାଡେ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ପ୍ରଥମ ରୁଟି କିମ୍ବା ଶ୍ରାଦ୍ଧର ଭୋଜନ ଗାଈକୁ ଖାଇବାକୁ ଦିଅନ୍ତୁ । ଯାହା ଦ୍ୱାରା ଘରେ ଆରୋଗ୍ୟ, ବଂଶବୃଦ୍ଧି ଏବଂ ଅଖଣ୍ଡ ସୌଭାଗ୍ୟ ରହିବ ।
ଚଢ଼େଇ କିମ୍ବା ଅନ୍ୟ ପକ୍ଷୀ:
ଘରର ଅଗଣା, ବାଲକୋନି କିମ୍ବା ତୁଳସୀ ଗଛ ପାଖକୁ ଆସି ଚଢ଼େଇର ଚିରିବା କିମ୍ବା ଦାନା ଖାଇବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ଯଦି ଶ୍ରାଦ୍ଧ ପକ୍ଷ ସମୟରେ କୌଣସି ଚଢ଼େଇ ଆପଣଙ୍କ ଘରେ ବସା ବାନ୍ଧିଦିଏ କିମ୍ବା ଆପଣ ରଖିଥିବା ଶସ୍ୟ ଦାନା ଖାଏ, ତେବେ ଏହାକୁ ପୂର୍ବଜମାନଙ୍କ ତୃପ୍ତିର ସଙ୍କେତ ବୋଲି ମନାଯାଏ । ଏହାଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୁଏ ଏବଂ ଖୁବଶୀଘ୍ର କୌଣସି ଶୁଭ ଓ ମଙ୍ଗଳମୟ ଖବର ମିଳେ ବୋଲି ବିଶ୍ୱାସ କରାଯାଏ ।