ମିଆଁମାର ମାର୍କେଟ୍‌ରେ ଭୟଙ୍କର ଏୟାରଷ୍ଟ୍ରାଇକ,୪୯ ମୃତ ୫୮ରୁ ଅଧିକ ଗୁରୁତର

 ମିଆଁମାରରେ ଜାରି ରହିଥିବା ହିଂସା ପୁଣିଥରେ ଏକ ବଡ଼ଧରଣର ନରସଂହାର କରିଛି। ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ରାଖାଇନ୍ ରାଜ୍ୟର ଏକ ବ୍ୟସ୍ତବହୁଳ ବଜାର ଉପରେ ସେନା ବାହିନୀ ପକ୍ଷରୁ ଭୟଙ୍କର ବାୟୁସେନା ଆକ୍ରମଣ କରାଯାଇଛି। ଏଥିରେ ଅତିକମରେ ୪୯ ଜଣ ନିରୀହ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ୫୮ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ରିପୋର୍ଟ ମୁତାବକ, ସୋମବାର ଦିନ ଏହି ଆକ୍ରମଣ କ୍ୟାଉକ୍ଟାଓ ଟାଉନ୍ସିପ୍ରେ ହୋଇଛି। ଏହି ସ୍ଥାନଟି ଏକ ପ୍ରମୁଖ ହୋଲସେଲ୍ ବଜାର ଥିଲା। ଯେଉଁଠାକୁ ରାଜ୍ୟର କେଣ ଅନୁକୋଣରୁ ବ୍ୟବସାୟୀ ଓ ଗ୍ରାହକମାନେ ଆସିଥାନ୍ତି। ଆରାକାନ୍ ଆର୍ମି ସୂଚନା ଦେଇଛି ଯେ, ଯୁଦ୍ଧ ବିମାନରୁ ବଜାର ଉପରେ ଦୁଇଟି ବୋମା ପକାଯାଇଥିଲା, ଯାହାଫଳରେ ବିକ୍ରେତା ଓ ଗ୍ରାହକମାନେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ଆରାକାନ୍ ଆର୍ମି ଚେତାବନୀ ଦେଇଛି ଯେ, ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ସିଧାସଳଖ ଦାୟୀ ବ୍ୟକ୍ତିମାନଙ୍କଠାରୁ କଡ଼ା ପ୍ରତିଶୋଧ ନିଆଯିବ।

ସୂଚନାଯୋଗ୍ୟ ଯେ, ୨୦୨୧ ଫେବୃଆରୀରେ ସେନାବାହିନୀ ଅଙ୍ଗ୍ ସାନ୍ ସୁ କିଙ୍କ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିବା ପରଠାରୁ ସମଗ୍ର ମିଆଁମାରରେ ଅଶାନ୍ତି ଲାଗି ରହିଛି। ଏହାକୁ ବିରୋଧ କରି ଗଢ଼ିଉଠିଥିବା ଶକ୍ତିଶାଳୀ ନୃ-ଗୋଷ୍ଠୀୟ ସଶସ୍ତ୍ର ଗୋଷ୍ଠୀ ‘ଆରାକାନ୍ ଆର୍ମି’ (AA) ଏବେ ରାଖାଇନ୍ର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ଆଣିସାରିଛି। ମିଆଁମାରରେ ଦିନକୁ ଦିନ ବିଗିଡ଼ି ଚାଲିଥିବା ଏହି ଆଭ୍ୟନ୍ତରୀଣ ସ୍ଥିତି ଏବଂ ମାନବୀୟ ସଙ୍କଟ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି।

Leave a comment