ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ ପ୍ରତିଷ୍ଠା କରିବ ବେଦାନ୍ତ ଗ୍ରୁପ୍ । ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ଏହା ସହ ଢେଙ୍କାନାଳରେ ୩ ମିଲିୟନ୍ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ବେଦାନ୍ତ ଯୋଜନା କରିଛି । ଏଥିପାଇଁ ୫୦୦ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।
ସିଜିମାଳୀ ଓ କର୍ଲାପାଟ ଖଣିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅନିଲ ଅଗ୍ରୱାଲ । ସାମ୍ବାଦିକ ସମ୍ମିଳନୀରେ ଅନିଲ ଅଗ୍ରୱାଲ କହିଛନ୍ତି, ଓଡ଼ିଶାରେ ବିଶ୍ୱର ସବୁଠୁ ଭଲ ଗୁଣବତ୍ତାର ବକ୍ସାଇଟ୍ ମିଳୁଛି । ତଥାପି ଆଲୁମିନିୟମ୍ ଉତ୍ପାଦନ ପାଇଁ ଭାରତ ଏବେ ମଧ୍ୟ ବାହାର ଦେଶ ଉପରେ ନିର୍ଭରଶୀଳ ।
ଆତ୍ମନିର୍ଭର ଭାରତ ନୀତି ଯୋଗୁଁ ଏହି ନିର୍ଭରଶୀଳତା କମିବ ବୋଲି ସେ କହିଛନ୍ତି । ଓଡ଼ିଶା ସହ ବେଦାନ୍ତର ସମ୍ପର୍କ ବହୁ ପୁରୁଣା ବୋଲି କହିବା ସହ ରାଜ୍ୟରେ ଶିଳ୍ପ ବୃଦ୍ଧି ଓ ରୋଜଗାର ସୃଷ୍ଟିକୁ କମ୍ପାନୀ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ପାୱାର, ରିଫାଇନାରୀ ଓ ସ୍ମେଲଟର କ୍ଷେତ୍ରରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ଯୋଜନା ରହିଛି । ଏଥିରୁ ସ୍ମେଲଟର କ୍ଷେତ୍ରରେ ୪୦ ପ୍ରତିଶତ ଏବଂ ପାୱାର ଓ ରିଫାଇନାରୀ କ୍ଷେତ୍ରରେ ୩୦ ପ୍ରତିଶତ ଲେଖାଏଁ ନିବେଶ କରାଯିବ ବୋଲି ଅନିଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।