ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ପ୍ରଭାବରେ ଏବେ ସାରା ଓଡ଼ିଶାରେ ବର୍ଷା ଜାରି,ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହେବାର ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ପ୍ରଭାବରେ ଏବେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ସମୟରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ।
ବର୍ତ୍ତମାନର ଗଭୀର ଅବପାତଟି କ୍ରମଶଃ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶାର ଜୟପୁରଠାରୁ ପ୍ରାୟ ୪୦ କିଲୋମିଟର ଉତ୍ତର-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ପରବର୍ତ୍ତୀ ସମୟରେ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ମୁହାଁଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହେବାର ସମ୍ଭାବନା ରହିଛି ।
ଏହି ପ୍ରଭାବରେ ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେଉଛି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ ବର୍ଷାର ମାତ୍ରା ଅଧିକ ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଏବଂ କେନ୍ଦୁଝର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ସମ୍ବଲପୁର ଏବଂ ଝାରସୁଗୁଡ଼ା ଆଡ଼କୁ ମଧ୍ୟ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
ଉପକୂଳ ଅଞ୍ଚଳରେ ବର୍ଷାର ପରିମାଣ କିଛିଟା କମିଥିଲେ ବି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି । ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିଥିବାବେଳେ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା କ୍ରମଶଃ କମିଯିବ ବୋଲି ଆଶା କରାଯାଉଛି । ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୨୫ ଏବଂ ୨୬ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ, କିନ୍ତୁ ବର୍ତ୍ତମାନର ତୀବ୍ରତା କ୍ରମଶଃ ହ୍ରାସ ପାଇବ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ନାହିଁ । ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।