ବିଷାକ୍ତ ପାନୀୟ ପଦାର୍ଥ ପିଇ ୪୮ ମୃତ, ୧୮୨ ଜଣ ଅସୁସ୍ଥ

ଦକ୍ଷିଣ ନାଇଜେରିଆରେ ବିଷାକ୍ତ ପାନୀୟ ପଦାର୍ଥ ପିଇ ୪୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଶଙ୍କା କରାଯାଉଛି ଏହି ଡ୍ରିଂକରେ ମିଥାନଲ୍ ଥିଲା। ଓଣ୍ଡୋ ରାଜ୍ୟ ସ୍ୱାସ୍ଥ୍ୟ ଆୟୁକ୍ତ କହିଛନ୍ତି ଯେ ଏହି ମାମଲା ଓଡିଗବୋ ଓ ଇରେଲ ଅଞ୍ଚଳରେ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଏହି ଘଟଣାରେ ୧୮୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଏହି ପାନୀୟ ପଦାର୍ଥ ପିଇ ଅସୁସ୍ଥ ଲୋକଙ୍କ ମଧ୍ୟରୁ କିଛି ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ମାମଲାରେ ପୋଲିସ ମୋଟ ୧୫ ଜଣଙ୍କୁ ଗିରଫ କରିଛି।

ଏହି ପାନୀୟ କିଡନୀ ଖରାପ କରିପାରେ, ଲୋକେ ଦୃଷ୍ଟିଶକ୍ତି ହରାଇ ପାରନ୍ତି ଓ ଏହା ଦ୍ୱାରା ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇ ପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ ପାନୀୟ ପିଇବା ପରେ ଲୋକେ ପୋକମାଛି ଭଳି ମରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ପୋଲିସ ଦ୍ୱାରା ଗିରଫ ଲୋକଙ୍କ ମଧ୍ୟରୁ ଜଣେ ଏହି ପେୟ ପ୍ରସ୍ତୁତ କରିଥିଲା। ସେ ଏବେ ମାମଲାର ଯାଞ୍ଚରେ ପୋଲିକୁ ସହାୟତା କରୁଛି। ହୁଏତ ଏହି ପେୟରେ ସେ ମିଥାନଲ୍ ମିସାଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

Leave a comment