ଆଜି ପବିତ୍ର ବିଶ୍ବକର୍ମା ପୂଜା । ଦେବଶିଳ୍ପୀଙ୍କ ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ । ଉତ୍ସବ ମୁଖର ବନ୍ଦର ନଗରୀ ପାରାଦୀପ । ମୋଟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ । ଆଜି ସକାଳୁ ବିଭିନ୍ନ ଅନୁଷ୍ଠାନ କଳସ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ତୋରଣକୁ ଆକର୍ଷଣୀୟ କରିବାକୁ ଲାଗି ପଡ଼ିଛନ୍ତି ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା । କେଉଁଠି ନଡ଼ିଆ ପତ୍ର ବ୍ୟବହାର ହୋଇଛି ତ ଆଉ କେଉଁଠି ନଡ଼ିଆଖୋଳପ । ସେହିପରି ପାର୍ଶ୍ବମୂର୍ତ୍ତିକୁ ମଧ୍ୟ ଗୁରୁତ୍ଵ ଦେଇଛନ୍ତି ମୂର୍ତ୍ତି କାରିଗର । ଦୀର୍ଘ ୭ଦିନ ଧରି ଚାଲିବାକୁ ଥିବା ବିଶ୍ଵକର୍ମା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ୬୬ଟି ସିସିଟିଭି ଲାଗିଛି ।
ବିଶ୍ବକର୍ମା ପୂଜାର ବିଧି ଓ ପରମ୍ପରା: ବିଶ୍ବକର୍ମା ପୂଜା ଦିନ କାରଖାନା, ମିଲ୍, ଗ୍ୟାରେଜ୍, ଇଞ୍ଜିନିୟରିଂ ସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବିଶେଷ ଉତ୍ସବର ମାହୋଲ ଥାଏ । ଏହି ଦିନ ଶ୍ରମିକ ଓ କାରିଗରମାନେ ନିଜ ନିଜର ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ କମ୍ପ୍ୟୁଟର ଆଦିକୁ ସଫା କରି ପୂଜା କରନ୍ତି । ଭଗବାନ ବିଶ୍ବକର୍ମାଙ୍କ ସୁନ୍ଦର ମୂର୍ତ୍ତି ସ୍ଥାପନ କରି ଆଳତି ଓ ଯଜ୍ଞ କରାଯାଏ । ଏହି ଦିନ ସମସ୍ତ ପ୍ରକାରର କାରିଗରୀ କାମ ବନ୍ଦ ରହେ, ଯାହା ମେସିନ୍ ଏବଂ ଶ୍ରମିକମାନଙ୍କୁ ଦିନଟିଏ ବିଶ୍ରାମ ଦେବାର ଏକ ସୁନ୍ଦର ପରମ୍ପରା ।