ଦାରା ସିଂଙ୍କ ଆଗୁଆ ଜେଲ୍‌ ମୁକ୍ତି ଆଶା କ୍ରମଶଃ କ୍ଷୀଣ,ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ସ୍ଥିର

ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ଜେଲ୍‌ ମୁକ୍ତି ଆଶା କ୍ରମଶଃ କ୍ଷୀଣ ହେବାରେ ଲାଗିଛି। ଦାରାଙ୍କୁ ଜେଲ୍‌ରୁ ମୁକ୍ତ କରିବା ନେଇ ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ମଞ୍ଜୁରୀ ଦେଇନାହିଁ।

ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ଗତ ଅଗଷ୍ଟ ୩୧ ତାରିଖରେ SSRBର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଚାରବିମର୍ଶ ପରେ ବୋର୍ଡ ଦାରାଙ୍କ ଆଗୁଆ ମୁକ୍ତି ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ବୋର୍ଡ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି।

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ପୂର୍ବରୁ ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ତୁରନ୍ତ ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଦାରା ସିଂ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଜେଲ୍‌ରେ ସାଜା କାଟୁଥିବାରୁ ତାଙ୍କ ମୁକ୍ତି ବିଚାର ପାଇଁ ଅଦାଲତ କହିଥିଲେ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ SSRB ବୈଠକ ବସିଥିଲା, ମାତ୍ର ବୋର୍ଡର ଅସମ୍ମତି ପରେ ଏବେ ଦାରା ସିଂଙ୍କ ଆଗୁଆ ଜେଲ୍‌ ମୁକ୍ତି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରି ମନେହେଉଛି।

ଏହା ପୂର୍ବରୁ ସେପ୍ଟେମ୍ବର ୮ରେ ଦାରା ସିଂଙ୍କ ମୁକ୍ତି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦାରା ସିଂ ଓ ଅନ୍ୟମାନଙ୍କ ଜେଲରୁ ମୁକ୍ତି ମାମଲାର ଶୁଣାଣି ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଡିଭିଜନ୍ ବେଞ୍ଚରେ ଲଗାତାର ଜାରି ରହିଛି । ମଙ୍ଗଳବାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବର କାରଣ ଦର୍ଶାଯାଇଥିବା ବେଳେ କୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ମିଟିଂ ଆଧାରରେ ରିହାତି ପ୍ରକ୍ରିୟା ଶେଷ ହେବା କଥା ଥିଲା । ଅଗଷ୍ଟ ୪ କିମ୍ବା ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଭେରିଫିକେସନ୍ ଓ ଅନ୍ୟାନ୍ୟ କାରଣରୁ ଏହା ସମ୍ଭବ ହୋଇପାରି ନ ଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ନ ହେବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ। ଏହି ମାମଲାରେ ଗୃହ ସଚିବ କିମ୍ବା ଅଧିକାରୀମାନଙ୍କୁ କାହିଁକି ତଲବ କରାଯାଉନାହିଁ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ମାମଲା ବିଚାରଧୀନ ରହିବା ନେଇ ପ୍ରଶ୍ନ ଉଠିଛି ବୋଲି ତାଙ୍କ ଓକିଲ ଏପି ସିଂହ ସୂଚନା ଦେଇଥିଲେ।

ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ସ୍ଥିର କରିଛନ୍ତି । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ରିହାତି ପ୍ରକ୍ରିୟାକୁ ଆଗକୁ ବଢ଼ାଯାଇପାରିବ ।

Leave a comment