ସୁନା ଖଣି ଧସିଯିବା ଫଳରେ ୬୦ ଜଣଙ୍କର ମୃତ୍ୟୁ

ସୁଦାନର ପଶ୍ଚିମ କୋର୍ଡୋଫାନ୍ ସ୍ଥିତ ଅଲ-ନୁହୁଦ୍ ସହରରେ ଗୋଟିଏ ସୁନା ଖଣି ଧସିଯିବା ଫଳରେ ଅତିକମରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।

ରିପୋର୍ଟ ଅନୁସାରେ ଅଲ-ଜାରା ଖଣିରେ ସୁରକ୍ଷା ବ୍ୟବସ୍ଥା ଏବଂ ଉଦ୍ଧାର ଉପକରଣର ଅଭାବ ଯୋଗୁ ସୁଡ଼ଙ୍ଗଗୁଡ଼ିକ ଧସିଯିବା ପରେ ଏତେ ବଡ଼ ଅଘଟଣ ଘଟିଛି । ଆଲ୍-ଅମିନ୍ ସୁଲେମାନ୍ ନାମକ ଜଣେ ଖଣି ଶ୍ରମିକ କହିଛନ୍ତି, “ଏଠାରେ ସୁଡ଼ଙ୍ଗଗୁଡ଼ିକ ପରସ୍ପରର ଅତି ନିକଟରେ ରହିଛି । ଯଦି ଗୋଟିଏ ଧସିଯାଏ, ତେବେ ତାହା ପାଖରେ ଥିବା ଅନ୍ୟ ସମସ୍ତ ସୁଡ଼ଙ୍ଗକୁ ନିଜ ସହ ଭାଙ୍ଗିଦିଏ ।” ସେ ଆହୁରି ମଧ୍ୟ କହିଛନ୍ତି, “ଗତକାଲିଠାରୁ ଅନେକ ଲୋକ ଭୂମି ତଳେ ଫସି ରହିଛନ୍ତି । ସେମାନେ ଜୀବିତ ଥିବା ନେଇ ଆଶା କ୍ଷୀଣ ।”

ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ଖୈର ଅଲ-ସୟଦ ଜାବାରା ଏଏଫପିକୁ କହିଛନ୍ତି ଯେ ତାଙ୍କ ସହଯୋଗୀ ଶ୍ରମିକମାନେ ସାରା ରାତି ଖନନ ପାଇଁ ବ୍ୟବହାର କରୁଥିବା ସାଧାରଣ ଉପକରଣ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚଲାଇଥିଲେ । ସେ କହିଛନ୍ତି, “ଭିତରେ ଆଉ କେତେ ଜଣ ଅଛନ୍ତି ତାହା ଆମେ ଜାଣିନାହୁଁ । ଶବ ଏବଂ ଜୀବିତ ଲୋକଙ୍କୁ ବାହାର କରିବା ପାଇଁ ସମସ୍ତେ ବହୁତ ପରିଶ୍ରମ କରୁଛନ୍ତି, କିନ୍ତୁ ଏହା କଠିନ । ପଥର ଏବଂ ମାଟି ହଟାଇବା ପାଇଁ ଆମକୁ ଭାରୀ ଯନ୍ତ୍ରପାତିର ଆବଶ୍ୟକତା ରହିଛି ।”

ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ କୋର୍ଡୋଫାନ୍ ଏବଂ ପଡ଼ୋଶୀ ଦାରଫୁର ଅଞ୍ଚଳ ବର୍ତ୍ତମାନ ଅର୍ଦ୍ଧ-ସାମରିକ ବାହିନୀ ‘ରାପିଡ୍ ସପୋର୍ଟ ଫୋର୍ସେସ୍’ ନିୟନ୍ତ୍ରଣରେ ରହିଛି । ଆରଏସଏଫ୍ ଉପରେ ଦାରଫୁରରେ ନରସଂହାର କରିବାର ଅଭିଯୋଗ ରହିଛି । ଏରଏସଏଫ୍ ନିଜର ଏକ ସମାନ୍ତରାଳ ସରକାର ଘୋଷଣା କରିଥିଲେ ମଧ୍ୟ ସେମାନଙ୍କର ଶାସନ କ୍ଷମତା ସୀମିତ । ପଶ୍ଚିମ ସୁଦାନର ଲୋକମାନେ ନିଜର ବଞ୍ଚିବା ପାଇଁ ମୁଖ୍ୟତଃ ଅନ୍ୟର ସହାୟତା ଓ ସ୍ଥାନୀୟ ସମୁଦାୟ ଉପରେ ନିର୍ଭରଶୀଳ ।

ସୂଚନା ଥାଉ କି ସୁଦାନ ଆଫ୍ରିକାର ସବୁଠାରୁ ବଡ଼ ସୁନା ଉତ୍ପାଦନକାରୀ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହାର ଅଧିକାଂଶ ସୁନା ବିପଜ୍ଜନକ ପାରମ୍ପରିକ ଖନନ ପ୍ରଣାଳୀ ମାଧ୍ୟମରେ ବାହାର କରାଯାଇ ଦେଶ ବାହାରକୁ ଚୋରା ଚାଲାଣ କରାଯାଏ । ୨୦୨୩ ଏପ୍ରିଲରେ ସୁଦାନ ସେନା ଏବଂ ଆରଏସଏଫ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଉଭୟ ପକ୍ଷର ଯୁଦ୍ଧ ଖର୍ଚ୍ଚ ମୁଖ୍ୟତଃ ଏହି ସୁନା ଶିଳ୍ପ ଏବଂ ବୈଦେଶିକ ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛି । ଆରଏସଏଫ ନିୟନ୍ତ୍ରଣରେ ଥିବା ପଶ୍ଚିମ କୋର୍ଡୋଫାନ୍, ଏହି ବାହିନୀ ପାଇଁ ସୁନା ଖନନ ଜରିଆରେ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି ।

ଏହି ସଂଘର୍ଷ ସୁଦାନର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଧ୍ୱଂସ କରିଦେଇଛି ଏବଂ ଅନେକ ଲୋକଙ୍କୁ ଜୀବିକା ଛଡେଇ ନେଇଛି । ଫଳରେ ଅନେକ ଲୋକ ବାଧ୍ୟ ହୋଇ ଏହି ବିପଜ୍ଜନକ ସୁନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଯୁଦ୍ଧ ଯୋଗୁଁ ପ୍ରାୟ ୨ କୋଟି ସୁଦାନୀ ନାଗରିକ ଗମ୍ଭୀର ଖାଦ୍ୟ ସଂକଟ ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ମଧ୍ୟ ଏହି ପାରମ୍ପରିକ ଖଣି କାର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ ନିୟୋଜିତ ଥିଲେ ।

Leave a comment