ନିରୀହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ

ପ୍ରତି ବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ଆଜି ସକାଳୁ ଖଇରଗୁରା ମୁଖ୍ୟ ସୁଲିଆ ପୀଠ ତଥା ବଡଖଳା ଓ କୂମୁରିଆ ସ୍ଥିତ ସାନଖଳାରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଛି। ସୁଲିଆ ଯାତ୍ରାରେ ସୁଲିଆ ବୁଢ଼ାଙ୍କୁ ପଶୁ, ପକ୍ଷୀ ସହ ନଡ଼ିଆ, କଦଳୀ ଆଦି ଭୋଗ ଅର୍ପଣ ବ୍ୟବସ୍ଥା ରହିଛି । ପୂର୍ବ ଦିନ ରାତିରେ ନିଶି ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ଭୋରରୁ କୁମୁରୀଆ ଗାଁ ସ୍ଥିତ ସୁଲିଆ ଗୁଡ଼ିରେ ଦେହେରି ଓ ବରୁଆମାନେ ପୂଜାର୍ଚ୍ଚନା କଲା ପରେ ଶୋଭାଯାତ୍ରାରେ ବାଜା ବଜାଇ ମୁଖ୍ୟ ସୁଲିଆ ପୀଠ ବଡଖଳାରେ ପହଞ୍ଚିଥିଲେ । ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁସାରେ ମୁଖ୍ୟ ପୂଜକ ସୋମନାଥ ଦେହେରୀ ପତ୍ରରେ ତିଆରି ବକ୍କଳ ପିନ୍ଧି ସୁଲିଆ ବୁଢ଼ାଙ୍କୁ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ କୁକୁଡ଼ା, ବୋଦା ବଳି ଦିଆଯିବା ପରେ ପୋଢ଼ ବଳି ଦିଆଯାଇଥିଲା।

କେଉଁ ଆବହମାନ କାଳରୁ ଆଦିବାସୀ ସୁଲିଆ ଯାତ୍ରା ପାଳନ କରି ଆସୁଛନ୍ତି। ବଲାଙ୍ଗିର ଜିଲ୍ଲା ସହ ପଡୋଶୀ ସୋନପୁର, ବୌଦ୍ଧ, କନ୍ଧମାଳ, ବରଗଡ଼, କଳାହାଣ୍ଡି ଆଦି ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଲିଆ ପୀଠରେ ସମାଗମ ହୋଇଥାଏ । ମାନସିକଧାରୀ ସୁଲିଆ ବୁଢାଙ୍କ ନିକଟରେ ଆଣିଥିବା ବୋଦା, କୁକୁଡ଼ା, ପାରା, ପୋଢ଼ ଆଦି ପଶୁ ପକ୍ଷୀଙ୍କୁ ବଳି ଚଢାଇଥାନ୍ତି । ପୁର୍ବରୁ ପ୍ରଶାସନ ପକ୍ଷରୁ ପଶୁ ବଳି ଉପରେ କଟକଣା ଜାରି କରାଯାଉଥିଲା। ତେବେ ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ହସ୍ତକ୍ଷେପ ନ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ପ୍ରଶାସନ ଗତ କିଛି ବର୍ଷ ହେଲା ଆଉ ପଶୁ ବଳିକୁ ବାରଣ କରୁନାହିଁ । ଫଳରେ ଚଳିତ ବର୍ଷ ମଧ୍ୟ ସୁଲିଆ ଯାତ୍ରାରେ ସୁଲିଆ ପୀଠ ନିରୀହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି । ଯାତ୍ରା ସୁପରିଚାଳନା ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ଏସଡିପିଓ ଙ୍କ ନେତୃତ୍ୱରେ ତୁଷୁରା ଥାନା ଓ ଦେଓଗାଁ ଥାନା ପୁଲିସ୍‌ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଛନ୍ତି ।

Leave a comment