ଆଇସିସି ଦିନିକିଆ ମାନ୍ୟତାରେ ୪ଜଣ ଭାରତୀୟ କ୍ରିକେଟର୍ ସାମିଲ

ଆଇସିସି ଦିନିକିଆ ମାନ୍ୟତାରେ ୪ଜଣ ଭାରତୀୟ କ୍ରିକେଟର୍ ସାମିଲ ହୋଇଛନ୍ତି। ଅବସର ଚର୍ଚ୍ଚା ଭିତରେ ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସ୍ଥାନକୁ ଉଠିବା ଉଲ୍ଲେଖନୀୟ ରହିଛି। ୨୦୨୫ ଆଇପିଏଲ୍ ଋତୁ ଶେଷ ହେବା ପରଠାରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳି ନଥିଲେ ମଧ୍ୟ ୩୮ବର୍ଷୀୟ ରୋହିତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ଖରାପ ଫର୍ମରୁ ଫାଇଦା ପାଇଛନ୍ତି। ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକଦିବସୀୟ ଶୃଙ୍ଖଳାରେ ଲଗାତାର ଖରାପ ପ୍ରଦର୍ଶନ କରିବା ପରେ ବାବର ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି।

ରୋହିତ ଏବେ ତାଙ୍କ ଉତ୍ତରାଧିକାରୀ ବୋଲାଉଥିବା ୨୮ବର୍ଷୀୟ ଶୁବମନ ଗିଲ୍‌ଙ୍କ ଠିକ୍ ପଛକୁ ରହିଛନ୍ତି। ୭୮୪ ପଏଣ୍ଟ୍‌ ପାଇ ଗିଲ୍ ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ରୋହିତ ୭୫୬ ପଏଣ୍ଟ୍‌ରେ ରହିଛନ୍ତି। ବାବରଙ୍କ ବ୍ୟାଟିଂ ପଏଣ୍ଟ୍ ୭୫୧କୁ କମି ଯାଇଛି। ଅନ୍ୟ ଭାରତୀୟଙ୍କ ମଧ୍ୟରେ କିଂବଦନ୍ତି ବିରାଟ ‌କୋହଲି (୭୩୬) ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ଯୁବ ବ୍ୟାଟର୍ ଶ୍ରେୟସ୍ ଆୟର (୭୦୪) ଅଷ୍ଟମ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ଡାରେଲ ମିଚେଲ (୭୨୦) ପଞ୍ଚମ, ଶ୍ରୀଲଙ୍କାର ଚରିଥ ଅସଲଙ୍କା (୭୧୯) ଷଷ୍ଠ, ଆୟର୍ଲାଣ୍ଡର ହ୍ୟାରି ଟେକ୍ଟର (୭୦୮) ସପ୍ତମ, ଆଫଗାନିସ୍ତାନର ଇବ୍ରାହିମ୍ ଜର୍ଦ୍ଦାନ (୬୭୬) ନବମ ଏବଂ ଶ୍ରୀଲଙ୍କାର କୁଶଲ ମେଣ୍ଡିସ୍ (୬୬୯) ଦଶମ ସ୍ଥାନ ଅଧିକାର କରିଛନ୍ତି।

Leave a comment