ଆମେରିକା ଏବଂ ଇରାନ ମଧ୍ୟରେ ତିନି ଘଣ୍ଟା ଧରି ଆଲୋଚନା,7 ଦିନରେ ଖୋଲିବ ହର୍ମୋଜ
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏହା ମଧ୍ୟରେ ନ୍ୟୁୟର୍କରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ତିନି ଘଣ୍ଟା ଧରି ଆଲୋଚନା ହୋଇଛି । ଡୋନାଲ୍ଡ ଟ୍ରମ୍ପ୍ ଏହି ବୈଠକକୁ ବହୁତ ଭଲ ବୋଲି କହିଛନ୍ତି । ଏହି ଆଲୋଚନା ଟ୍ରମ୍ପଙ୍କ ଚେତାବନୀର କିଛି ସମୟ ପରେ ହୋଇଥିଲା । ବୈଠକ ପୂର୍ବରୁ ଟ୍ରମ୍ପ୍ ଇରାନ ସହ ସାଲିସ କରିବେନି ଏବଂ ଏହାକୁ ଧ୍ୱଂସ କରିଦେବେ ବୋଲି କହିଥିଲେ ।
ଆମେରିକୀୟ ଅଧିକାରୀ ଭାବେ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେରେଡ୍ କୁଶନର୍ ବୈଠକରେ ସାମିଲ ହୋଇଥିଲେ । ଇରାନ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଯୋଗଦେଇଥିଲେ । ମଧ୍ୟସ୍ତତା ଜରିଆରେ ଉଭୟ ପକ୍ଷ ଆଲୋଚନା କରିଥିଲେ ।
ବୈଠକକୁ ନେଇ ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ଏବଂ ଆମେରିକା ମଧ୍ୟରେ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହା ବହୁତ ଭଲ ବୈଠକ । ଏହାପରେ ଖୁବ୍ ଶୀଘ୍ର ଆଉ ଏକ ବୈଠକ ଅନୁଷ୍ଠିତ ହେବ । ଇରାନ ପାଖରେ ବିକଳ୍ପ ରଖାଯାଇଛି ।
ଷ୍ଟିଭ୍ କହିଛନ୍ତି ଯେ, ଜାତିସଙ୍ଘ ମହାସଭାରେ ଆମେରିକା ପକ୍ଷ ମଧ୍ୟସ୍ତତା ଜରିଆରେ ଇରାନୀ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି । ବୈଠକରୁ ଅନେକ କିଛି ଆଶା କରାଯାଉଛି । ଇରାନ ସରକାରୀ ଗଣମାଧ୍ୟମ ମଧ୍ୟ ବୈଠକ ନେଇ ମତ ରଖିଛି । ରିପୋର୍ଟ ଅନୁସାରେ, ତେହେରାନ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ସର୍ତ୍ତ ରଖିଛି । ଆମେରିକା ସୈନ୍ୟ ଏଠାରୁ ହଟିବାକୁ ଇରାନ ପକ୍ଷରୁ କୁହାଯାଇଛି । ଯଦି ସର୍ତ୍ତ ଆମେରିକା ମାନିଯାଏ ତାହାଲେ ସେମାନେ ହର୍ମୋଜକୁ ଖୋଲିଦେବେ ।ସୂଚନାଯୋଗ୍ୟ, ବୈଠକ ପୂର୍ବରୁ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଥିଲେ । ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ । ସେ ଆଲୋଚନା ଜରିଆରେ ସମାଧାନ ଚାହୁଁଛନ୍ତି । ଇରାନ ଆମେରିକା ସହ ସାଲିସ କଲେ ଭଲ ହେବ ବୋଲି ଟ୍ରମ୍ପ୍ କହିଥିଲେ ।