ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ: ଯୁଦ୍ଧର ପ୍ରତ୍ୟେକ ଦିନ ମାନବତାକୁ ପଛକୁ ଠେଲିଦିଏ

କିର୍ଗିସ୍ତାନର ରାଜଧାନୀ ବିଶକେକ୍‌ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସମୟରେ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଯୁଦ୍ଧର ପ୍ରତ୍ୟେକ ଦିନ ମାନବତାକୁ ପଛକୁ ଠେଲିଦିଏ’।

ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଦୋହରାଇଛନ୍ତି ଯେ, କୌଣସି ସମସ୍ୟାର ସମାଧାନ ଯୁଦ୍ଧକ୍ଷେତ୍ରରେ ହୋଇପାରିବ ନାହିଁ। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହିଁ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସମ୍ଭବ। ଯୁଦ୍ଧ ଯୋଗୁଁ ଧନଜୀବନ ହାନୀ ଏବଂ ବିଶ୍ୱସ୍ତରୀୟ ସଙ୍କଟକୁ ଲକ୍ଷ୍ୟ କରି ମୋଦୀ କହିଛନ୍ତି ଯେ, ସଂଘର୍ଷ ବନ୍ଦ ହେବା ସମଗ୍ର ମାନବ ସମାଜର ହିତ ପାଇଁ ଆବଶ୍ୟକ।

ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ଉଭୟ ଦେଶ ମଧ୍ୟରେ ରହିଥିବା ସାମରୀକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ମଜଭୁତ କରିବା ନେଇ ଆଲୋଚନା ହୋଇଛି । ରାଷ୍ଟ୍ରପତି ପୁଟିନ ମଧ୍ୟ ଭାରତ ଓ ରୁଷର ସମ୍ପର୍କକୁ ଅଧିକ ଦୃଢ଼ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଅବଦାନକୁ ପ୍ରଶଂସା କରିଛନ୍ତି। ୨୦୨୫ ମସିହାରେ ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟକଙ୍କ ଆଗମନରେ ୧୬% ବୃଦ୍ଧି ଘଟିଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।ସେପଟେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା । ଗତ ଫେବୃଆରୀ ମାସରେ ଇରାନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତକାର ଥିଲା।

Leave a comment