ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ମାଗଣାରେ ପଢିବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀ

ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସତ୍ୱେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କିନ୍ତୁ, ଆଡମିଶନ୍ ବେଳେ ଅର୍ଥ ଜମା କରିବା ପାଇଁ ସେମାନଙ୍କ ପାଖରେ ସମ୍ୱଳ ନଥାଏ । ଏଭଳି ଅନେକ ସମ୍ୱାଦ ନିୟମିତ ଗଣମାଧ୍ୟମରେ ପ୍ରକାଶ ପାଉଛି ।

ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି ।ଏହି ଛାତ୍ରଛାତ୍ରୀମାନେ ସାଧାରଣତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ବୃତ୍ତି ପାଇଥାନ୍ତି । ତେବେ ଏହି ବୃତ୍ତି ଅର୍ଥ ପାଇବାର ପ୍ରକ୍ରିୟା ଶେଷ ହୋଇ ଟଙ୍କା ପାଇବା ବେଳକୁ ୩-୪ ମାସ ଲାଗିଥାଏ । ତେଣୁ ବର୍ତ୍ତମାନ ଏହି ବର୍ଗର ଛାତ୍ରଛାତ୍ରୀମାନେ ସେମାନଙ୍କ ବୃତ୍ତି ଟଙ୍କା ପାଇବା ପରେ ସୁବିଧାରେ ସେମାନଙ୍କ ଆଡମିଶନ୍ ଓ ଟ୍ୟୁସନ ଫି ଜମା କରିପାରିବେ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଏକ ମାର୍ଗଦର୍ଶିକା ଜାରି କରାଯିବା ନେଇ ସୂଚନା ଦିଆଯାଇଛି।

Leave a comment