ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏବଂ ଇରାନ ପୁଣି ମୁହାଁମୁହିଁ
ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ଗୋଟିଏ ପଟେ ଶାନ୍ତି ପାଇଁ ଆଲୋଚନା ଚାଲିଛି । ଅନ୍ୟ ଦିଗରେ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି ଦୁଇଦେଶ । ଏସବୁ ଭିତରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏବଂ ଇରାନ ପୁଣି ମୁହାଁମୁହିଁ ହୋଇଛନ୍ତି ।
ଇରାନ ନ୍ୟୁଜ୍ ଏଜେନ୍ସି ଅନୁସାରେ, ତେହେରାନ ହର୍ମୋଜ୍ ନିକଟରେ ଚେତାବନୀ ଦେବାକୁ ଯାଇ ଗୁଳିଗୋଳା ମାଡ କରିଛି । ଏଠାରେ ଆମେରିକା ନୌସେନାର ଜାହାଜ ଦେଖିବାକୁ ମିଳିଥିଲା । ଯାହାର ଜବାବରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମୁଦ୍ରରେ ଥିବା ଲାରକ ଦ୍ୱୀପ ନିକଟରେ ଗୁଳିଗୋଳା ମାଡ କରାଯାଇଛି । ଏହା ବନ୍ଦରଆବାସ୍ ନିକଟରେ ଅବସ୍ଥିତ ।
ଅନ୍ୟ ଦିଗରେ ଆମେରିକାର ଜଣେ ଅଧିକାରୀ ଦାବି କରିଛନ୍ତି ଯେ, ଇରାନ ହର୍ମୋଜ୍ ଷ୍ଟ୍ରେଟରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବାକୁ ପ୍ରୟାସ କରିଥିଲା। ଯାହାକୁ ଇଣ୍ଟରସେପ୍ଟ୍ କରାଯାଇଛି । ଚାରୋଟି ଡ୍ରୋନକୁ ଖସାଇ ଦିଆଯାଇଛି । ଏହାପରେ ଇରାନ ଆମେରିକାର ଉପକୂଳ ଉପରେ ନଜର ରଖୁଥିବା ରାଡାରକୁ ଟାର୍ଗେଟ୍ କରିଥିଲା ।
ୟୁଏସ୍ ଆହୁରି ମଧ୍ୟ କହିଛି ଯେ, ଇରାନର ଡ୍ରୋନ୍ ଉପକୂଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲେ । ଏହାର ଜବାବରେ ଆମେରିକା ମଧ୍ୟ ଇରାନର ଗୋରୁକ୍ ଏବଂ କେସମ୍ ଦ୍ୱୀପରେ ଥିବା ରାଡାର ଉପରେ ଆକ୍ରମଣ କରିଥିଲା । ଆତ୍ମରକ୍ଷା ପାଇଁ ଇରାନର ସମସ୍ତ ଆକ୍ରମଣର ଜବାବ ଦେବା ଜାରି ରହିବ । ଅନ୍ୟ ଦିଗରେ ଆମେରିକାର ଏସମସ୍ତ ଦାବିକୁ ଇରା ମିଡିଆ ଖାରଜ କରିଦେଇଛି ।