ଜାପାନରେ ପୁଣି ଭୂକମ୍ପ ,ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ

ଜାପାନରେ ପୁଣି ଭୂକମ୍ପ । ଜାପାନର ଉତ୍ତର ଦ୍ଵୀପ ହୋକାଇଡୋରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୋର ୫:୨୪ ମିନିଟରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଖବର ଅନୁଯାୟୀ, ଭୂକମ୍ପର କେନ୍ଦ୍ରବିନ୍ଦୁ ହୋକାଇଡୋର ଦକ୍ଷିଣ ଭାଗରେ ଥିବା ସାରାବେଟସୁ ନିକଟରେ ଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ପ୍ରାୟ ୮୦ ରୁ ୮୩ କିଲୋମିଟର ଗଭୀରରେ ଏହି କମ୍ପନ ସୃଷ୍ଟି ହୋଇଥିଲା। ଏହି ଭୂକମ୍ପ ପରେ କୌଣସି ପ୍ରକାରର ସୁନାମି ସତର୍କତା ଜାରି କରାଯାଇ ନାହିଁ। ହୋକାଇଡୋର ବିଭିନ୍ନ ସହର ସମେତ ପଡ଼ୋଶୀ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ଧନଜୀବନ ହାନିର ଖବର ମିଳିନାହିଁ। କିନ୍ତୁ କିଛି ସ୍ଥାନରେ ଭୂସ୍ଖଳନ ଏବଂ ପଥର ଖସିବାର ଆଶଙ୍କା ଥିବାରୁ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଗତ ସପ୍ତାହରେ ମଧ୍ୟ ଜାପାନର ଉତ୍ତର ଉପକୂଳରେ ଏକ ୭.୭ ତୀବ୍ରତାର ଭୂକମ୍ପ ହୋଇଥିଲା, ଯାହା ପରେ ଏହି ସାମାନ୍ୟ କମ୍ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ‘ରିଙ୍ଗ୍ ଅଫ୍ ଫାୟାର୍’ ଅଞ୍ଚଳରେ ରହିଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ।

Leave a comment