ଆଜି ରକ୍ଷାବନ୍ଧନ ଅବସରରେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିବେ ମହିଳା ,
ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍ ’ରେ ମହିଳାମାନଙ୍କୁ ମାଗଣାଯାତ୍ରା । ରକ୍ଷାବନ୍ଧନ ଅବସରରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ଟି ସହରରେ ମହିଳାମାନେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିପାରିବେ। ଏଥିରେ ଏକ ଲକ୍ଷରୁ ଅଧିକ ମହିଳା ଉପକୃତ ହେବାର ଆଶା ରହିଛି। ପବିତ୍ର ରକ୍ଷା ବନ୍ଧନ ଦିବସରେ ମହିଳା ଯାତ୍ରୀଙ୍କ ପାଇଁ ଆମ ବସ୍ ରେ ଦେୟମୁକ୍ତ ଯାତ୍ରା ପାଇଁ କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍) ଘୋଷଣା କରିଛି । ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ ରେ ଏହି ସୁବିଧା ଉପଲବ୍ଧ ହେବ ।
ପ୍ରତ୍ୟେକ ମହିଳା ଯେପରି ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଭାବେ ଯାତ୍ରା କରିପାରିବେ, ତାହା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ବିଶେଷକରି ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଦିଗରେ ଚାଲିଥିବା ପ୍ରୟାସକୁ ଏହା ଆହୁରି ସୁଦୃଢ଼ କରିବ । ସୁଲଭ ଓ ସହଜ ଜନପରିବହନ ମାଧ୍ୟମରେ ମହିଳାମାନେ ନିଜର ସାମାଜିକ, ଆର୍ଥିକ ଓ ପାରିବାରିକ କାର୍ଯ୍ୟରେ ଅଧିକ ସୁବିଧାରେ ଯୋଗଦେଇପାରିବେ ।