ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ ରାଖୀ

ଆଜି ପବିତ୍ର ରାଖୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଭାଇ-ଭଉଣୀର ସମ୍ପର୍କକୁ ନେଇ ଅନେକ ନାଟକ ଓ କଥାଚିତ୍ର ପ୍ରସ୍ତୁତ ହୋଇଛି । ଭଉଣୀର ସୁରକ୍ଷା ପାଇଁ ଭାଇ ନିଜର ସୁଖ ସୁବିଧା ମଧ୍ୟ ଭୁଲିଯାଏ । ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ସେହିପରି ଆଜି ନା ଆସନ୍ତାକାଲି କେଉଁ ଦିନ ପାଳନ ହେବ ରାଖୀ ପୂର୍ଣ୍ଣିମା? ଏହାକୁ ନେଇ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ ରହିଛି । ଗଣନା ଅନୁସାରେ ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୯ ମିନିଟ୍‌ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଅଗଷ୍ଟ ୨୮ ସକାଳ ୯ଟା ୪୯ ମିନିଟ୍‌ରେ ଶେଷ ହେଉଛି । ତେବେ ଅଗଷ୍ଟ ୨୭ରେ ଭଦ୍ରାକାଳ ରହୁଥିବାରୁ ଏହି ଦିନ ରାଖୀ ବାନ୍ଧିବାକୁ ଅନେକ ପଣ୍ଡିତ ଓ ଜ୍ୟୋତିର୍ବିଦ ବାରଣ କରିଛନ୍ତି । ତେଣୁ ଅଗଷ୍ଟ ୨୮ ତାରିଖରେ ରାଖୀ ପୂର୍ଣ୍ଣିମା ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ, ଶ୍ରୀମନ୍ଦିରର ନୀତିକାନ୍ତି ଓ ଉଦୟ ତିଥିକୁ ଆଧାର କରି ଅଗଷ୍ଟ ୨୮ରେ ଶ୍ରୀବଳଭଦ୍ର ଜନ୍ମ ଏବଂ ରାଖୀଲାଗି ନୀତି ପାଳନ ହେଉଥିବାରୁ, କିଛି ଗବେଷକ ଓ ପଣ୍ଡିତ ମଧ୍ୟ ୨୮ ତାରିଖରେ ରାଖୀ ବାନ୍ଧିବାକୁ ମତ ଦେଇଛନ୍ତି ।

Leave a comment