ଆସନ୍ତା ୨୫ ତାରିଖରେ ଘୂର୍ଣ୍ଣିବଳୟ,୨୭ ତାରିଖ ବେଳକୁ ବର୍ଷା

ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପ ସାଗର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୭ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପୂର୍ବ ଓ ଉତ୍ତର ପୂର୍ବ ଭାରତର ବିଭିନ୍ନ ସ୍ଥାନର ବିସ୍ତୃତ ବିସ୍ତୃତ ଅଞ୍ଚଳରେ ଭାରି ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ବିସ୍ତାରିତ ଆକଳନରେ ଏଭଳି ପୂର୍ବାନୁମାନ କରିଛି।

୨୭ରୁ ୨ ତାରିଖ ଭିତରେ ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। କିନ୍ତୁ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ। ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରହିଛି। ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ହୋଇପାରେ। ୨୨ ତାରିଖରେ ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୨୩ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ୨୪, ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ୧୦ମିମି ବର୍ଷା ହୋଇଛି। ଖୋର୍ଦ୍ଧାରେ ୨୪ମିମି, ଭଦ୍ରକରେ ୧୨.୪, ସୁନ୍ଦରଗଡ଼ରେ ୯.୪, କୋରାପୁଟରେ ୯.୬, ଓ ଢେଙ୍କାନାଳରେ ୭.୪ ମିମି ବର୍ଷା ରେକର୍ଡ ହୋଇଛି।

Leave a comment