କେନ୍ଦ୍ରଶାସିତ ଅଞ୍ଚଳରେ ଲଦାଖରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ଲଦାଖବାସୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରଶାସିତ ଅଞ୍ଚଳରେ ଲଦାଖରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଲଦାଖର ଦୁର୍ଗମ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନ୍ୟାୟ ପାଇବାରେ ଏହି ବେଞ୍ଚ ବେଶ୍ ସହାୟକ ହେବ ବୋଲି ଶାହ କହିଛନ୍ତି।

ଏକ୍ସରେ ପୋଷ୍ଟ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି “ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଲଦାଖରେ ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।” ଶାହ ଆହୁରି କହିଛନ୍ତି ଯେ, ଲଦାଖରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବା ଫଳରେ ଲୋକଙ୍କୁ ଆଇନଗତ ସେବା ପାଇବା ପାଇଁ ଦୂର ଯାତ୍ରା କରିବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ଲଦାଖର ଲୋକଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ସେବା ଅଧିକ ସୁଗମ ହୋଇପାରିବ।

ଭୌଗୋଳିକ ଦୃଷ୍ଟିରୁ ଲଦାଖ ଏକ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ। ଦୀର୍ଘ ଦୂରତା ଏବଂ କଠିନ ଭୌଗୋଳିକ ପରିସ୍ଥିତି ଯୋଗୁ ଏଠାକାର ଲୋକଙ୍କ ପାଇଁ ଉଚ୍ଚ ନ୍ୟାୟାଳୟ ସହ ଜଡ଼ିତ କାର୍ଯ୍ୟ ପାଇଁ ଜମ୍ମୁ କିମ୍ବା ଶ୍ରୀନଗର ଯିବା ଅନେକ ସମୟରେ କଷ୍ଟକର ହୋଇଥାଏ। ବର୍ତ୍ତମାନ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ପ୍ରମୁଖ ଆସନ ଜମ୍ମୁ ଏବଂ ଶ୍ରୀନଗରରେ ରହିଛି। ଲଦାଖରେ ନୂଆ ବେଞ୍ଚ ସ୍ଥାପନ ହେଲେ ସେଠାକାର ମାମଲାକାରୀ, ଆଇନଜୀବୀ ଏବଂ ଅନ୍ୟ ନ୍ୟାୟିକ ହିତଧାରୀମାନେ ନିଜ ଅଞ୍ଚଳ ନିକଟରେ ହାଇକୋର୍ଟ ସେବା ପାଇପାରିବେ।

ହାଇକୋର୍ଟରେ ୪୪,୫୫୭ ମାମଲା ବିଚାରାଧୀନ

ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ହାଇକୋର୍ଟରେ ବହୁ ସଂଖ୍ୟକ ମାମଲା ବିଚାରାଧୀନ ରହିଛି। ଦି ଟ୍ରିବ୍ୟୁନ୍ର ତଥ୍ୟ ଅନୁସାରେ, ୨୦୨୬ ଜୁଲାଇ ୩୦ ସୁଦ୍ଧା ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟରେ ମୋଟ ୪୪,୫୫୭ଟି ମାମଲା ବିଚାରାଧୀନ ଥିଲା। ଏଥିରୁ ୬,୧୦୬ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି। ଲଦାଖରେ ନ୍ୟାୟିକ ଭିତ୍ତିଭୂମି ଏବଂ ନ୍ୟାୟିକ ଅଧିକାରୀଙ୍କ ଉପଲବ୍ଧତାକୁ ନେଇ ମଧ୍ୟ ଅନେକ ସମୟରେ ସମସ୍ୟା ରହିଆସିଛି। ଏଭଳି ସ୍ଥିତିରେ ନୂଆ ହାଇକୋର୍ଟ ବେଞ୍ଚ ଏହି ଅଞ୍ଚଳର ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।

୨୦୧୯ରେ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲା ଲଦାଖ

୨୦୧୯ରେ ଜମ୍ମୁ-କଶ୍ମୀର ପୁନର୍ଗଠନ ପରେ ଲଦାଖକୁ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିଥିଲା। ଏହା ପରଠାରୁ ଲଦାଖର ପ୍ରଶାସନିକ ଓ ପ୍ରତିଷ୍ଠାନଗତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଆସୁଛନ୍ତି।

ଲଦାଖରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଏହି ପ୍ରକ୍ରିୟାର ଆଉ ଏକ ବଡ଼ ପଦକ୍ଷେପ। କେନ୍ଦ୍ର ସରକାର ଲଦାଖର ସର୍ବାଙ୍ଗୀନ ବିକାଶ ସହ ଏହାର ସାମ୍ବିଧାନିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

Leave a comment