ଟି୨୦ ମହିଳା ବିଶ୍ୱକପ : ପାକିସ୍ତାନକୁ ହରାଇ ମୁକାବିଲାରେ ବାଜି ମାରିଛି ଟିମ୍ ଇଣ୍ଡିଆ

ବିଜୟରୁ ଅଭିଯାନ ଆରମ୍ଭ କଲା ମହିଳା ବ୍ରିଗେଡ୍ । ସୁପର ସଣ୍ଡେର ଟି୨୦ ମହିଳା ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ହାଇ ଭୋଲଟେଜ୍ ମୁକାବିଲାରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି । ଏହାସହ ହରମନପ୍ରୀତ କୌରଙ୍କ ଟିମ୍ ବିଜୟରୁ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛି ।

ମୁକାବିଲାରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଶେଫାଳି ବର୍ମା ଏବଂ ଜେମିମା ରଡ୍ରିଗୁଏସ ସଅଳ ଆଉଟ୍ ହୋଇଯାଇଥିଲେ । କିନ୍ତୁ ସ୍ମୃତି ମନ୍ଧାନା ପାଳି ସମ୍ଭାଳିଥିଲେ । ସେ ୪୪ ବଲରୁ ୬୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ହରମନପ୍ରୀତ ୩୬ ରନ୍ କରିଥିବା ବେଳେ ରିଚା ଘୋଷ ଦ୍ରୁତ ୩୪ ରନ୍ ସଂଗ୍ରହ କରିଥିଲେ । ଫଳରେ ଭାରତ ନିର୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୭୦ ରନ୍ କରିବାରେ ସଫଳ ହୋଇଥିଲା । ପାକିସ୍ତାନ ପକ୍ଷରୁ ଫାତିମା ସାନା ଏବଂ ସାଦିଆ ଇକବାଲ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

୧୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ଭଲ ଆରମ୍ଭ କରିଥିଲା । କିନ୍ତୁ ୩୮ ରନରେ ଦଳର ପ୍ରଥମ ଓ୍ୱିକେଟ୍ ପଡିଥିଲା । ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟର ଆଉଟ୍ ହୋଇଥିଲେ । କେବଳ ମୁନୀବା ଅଲ୍ଲୀଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟର ବ଼ଡ ସ୍କୋର କରିପାରିନଥିଲେ । ସେ ୪୧ ରନ୍ କରିଥିଲେ । ଟେଲ୍ ଏଣ୍ଡର ଦଳକୁ ବିଜୟ କରିବାରେ ବିଫଳ ହୋଇଥିଲେ । ଏପରିକି ପାକିସ୍ତାନୀ ଟିମ୍ ୨୦ ଓଭର ମଧ୍ୟ ଖେଳିପାରିନଥିଲା । ଦଳ ୧୭ ଓଭରରେ ୧୦୬ ରନରେ ଅଟକି ଯାଇଥିଲା । ଏହାସହ ବିଜୟ ଲକ୍ଷ୍ୟଠୁ ୬୪ ରନ୍ ଦୂରରେ ରହିଯାଇଥିଲା ।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫ଟି, ଶ୍ରୀ ଚରାନୀ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଶେଫାଳି ବର୍ମା ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

Leave a comment