ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବ,ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି
ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବାକୁ ଯାଉଛି । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଶନିବାର ଦିନ ଆନୁଷ୍ଠାନିକ ଭାବରେ ସୂଚନା ଦିଆଯାଇଛି । ଆଗାମୀ ସପ୍ତାହରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଅଛନ୍ତି । ଯାତ୍ରା ଆରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ରଣନୈତିକ ଚିନ୍ତାଧାରାରେ ଫ୍ରାନ୍ସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇପାରେ ଆଲୋଚନା
ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପ୍ ଅଫ୍ ୭ (G7) ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକରେ ବାଣିଜ୍ୟିକ କାରବାର ଓ ବ୍ୟବସାୟିକ ସମ୍ପର୍କ, ଭିସା (Visa) ନିୟମ ଏବଂ ଶକ୍ତି କ୍ଷେତ୍ରରେ ପାରଷ୍ପରିକ ସହଯୋଗ ପ୍ରସଙ୍ଗରେ ଆଲୋଚନା ହୋଇପାରେ ।
ଜୁନ୍ ୧୫ ରୁ ୧୭ ପର୍ଯ୍ୟନ୍ତ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଆମେରିକା ସମେତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାର ନେତା ଏବଂ ଭାରତ ସହିତ ଅନ୍ୟ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତର ରଣନୈତିକ ଦୃଷ୍ଟିକୋଣରୁ ଫ୍ରାନ୍ସ ସହ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହି ବର୍ଷ ଆରମ୍ଭରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ଭାରତ ଆସିଥିଲେ । ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତ ସାରି ସ୍ଲୋଭାକିଆ ଗସ୍ତ କରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଏବଂ G7 ସମ୍ମିଳନୀ
ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୬-୧୭ ରେ ଫ୍ରାନ୍ସର ଏଭିଆନ୍ରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଯୋଗ ଦେବେ। ଜୁନ୍ ୧୩-୧୪ ଫ୍ରାନ୍ସର ନିସ୍ (Nice) ସହର ଗସ୍ତ କରିବେ ମୋଦୀ । ଜୁନ୍ ୧୪ରେ ଫ୍ରାନ୍ସରୁ ସ୍ଲୋଭାକିଆ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ୍ ୧୬-୧୯ ପୁଣି ଥରେ ଫ୍ରାନ୍ସର ଏଭିଆନ୍ ଏବଂ ପ୍ୟାରିସ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ରାଫେଲ୍କୁ ନେଇ ବଡ଼ ଚୁକ୍ତିର ସମ୍ଭାବନା
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଫ୍ରାନ୍ସ ଗସ୍ତ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଡିଲ୍ ହେବାର ସମ୍ଭାବନା ରହିଛି। ବିଶେଷ କରି ‘ରାଫେଲ୍’ ଯୁଦ୍ଧବିମାନକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ। ଫ୍ରାନ୍ସ ସରକାର ଭାରତର ‘ମେକ୍-ଇନ୍-ଇଣ୍ଡିଆ’ (Make in India) ଅଭିଯାନ ଅଧୀନରେ ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟ ପ୍ରୋଜେକ୍ଟକୁ ଆଗକୁ ବଢ଼ାଇବାକୁ ବିଚାର କରୁଛନ୍ତି। ଏହି ଯୁଦ୍ଧବିମାନଗୁଡ଼ିକରେ ଭାରତୀୟ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସାମିଲ କରିବା ପାଇଁ ଫ୍ରାନ୍ସ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।