ଡାକ୍ତରଖାନାକୁ ଆସିବା ବେଳେ ସୌମ୍ୟ ନିଶ୍ଚଳ ଥିଲେ ପଲ୍ସ ଓ ବିପି ନନ୍ ରେକର୍ଡେବଲ ଥିଲା,ହାତଗୋଡ଼ ବନ୍ଧା ଅବସ୍ଥାରେ ଅଣାଯାଇଥିଲା – ଡାକ୍ତର
ସାରା ଦେଶକୁ ଦୋହଲାଇ ଦେଇଥିବା ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଚାଲିଛି କ୍ରାଇମବ୍ରାଞ୍ଚ ତନାଘନା । ତଦନ୍ତର ଦିନ ଯେତିକି ବଢ଼ୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ଘଟଣାକୁ ନେଇ ଅନେକ ଖୁଲାସା ମଧ୍ୟ ହେଉଛି । ତେବେ ସୌମ୍ୟ ହତ୍ୟା ଘଟଣାର ନୂଆ ଖୁଲାସା କରିଛନ୍ତି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର । ସେ କହିଛନ୍ତି ଯେ, ଡାକ୍ତରଖାନାକୁ ଆସିବା ବେଳେ ସୌମ୍ୟ ନିଶ୍ଚଳ ହୋଇଯାଇଥିଲେ । ସୌମ୍ୟଙ୍କ ପଲ୍ସ ଓ ବିପି ନନ୍ ରେକର୍ଡେବଲ ଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ସୌମ୍ୟଙ୍କୁ ଅଣାଯାଇଥିଲା ଡାକ୍ତରଖାନା । ସୌମ୍ୟଙ୍କ ଶରୀରର କୌଣସି ମୁଭମେଣ୍ଟ ନଥିଲା । ସୌମ୍ୟଙ୍କ ସହିତ ଥିଲେ କେବଳ ପୋଲିସ କର୍ମଚାରୀ ।
ସୌମ୍ୟଙ୍କୁ ବାଳକାଟିରୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଏଣ୍ଟ୍ରି ବେଳେ ଚାଲୁନଥିଲା ସୌମ୍ୟଙ୍କ ପଲ୍ସ, ବିପି । ଆମ୍ବୁଲାନ୍ସରେ ବି ସୌମ୍ୟଙ୍କ ଶରୀରର କୌଣସି ମୁଭମେଣ୍ଟ ନଥିଲା । ଆମ୍ବୁଲାନ୍ସରେ ସୌମ୍ୟଙ୍କ ସହ ଯାଇଥିଲେ ଦୁଇ ପିସିଆର ଷ୍ଟାଫ୍ ।ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଖିଅ ଖୋଲିବାକୁ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣା ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ଜେରା ଚଳାଇଛି । ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏସବୁ ଭିତରେ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଘଟଣା ଦିନ ସୌମ୍ୟ କୁଆଡ଼େ ଯାଉଥିଲେ ? ଘରୁ କେତେବେଳେ ବାହାରିଥିଲେ ? ଘରୁ ଯିବା ବେଳେ ତାଙ୍କର ମାନସିକ ଅବସ୍ଥା କିଭଳି ଥିଲା ? ସୌମ୍ୟଙ୍କ ସାଙ୍ଗରେ ଆଉ କିଏ ଯାଇଥିଲେ ? ଘଟଣା ସମ୍ପର୍କରେ ପରିବାର ଲୋକେ କେମିତି ଜାଣିଲେ ? ସୌମ୍ୟଙ୍କ ପରିବାର ଲୋକଙ୍କ ପକ୍ଷରୁ ଏମିତି ଅନେକ ପ୍ରଶ୍ନ ଉତ୍ତର ଜାଣିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ ଟିମ୍ ।
ଏସବୁ ଭିତରେ କିନ୍ତୁ ଘଟଣା ଦିନ ପୋଲିସର ଆକ୍ସନକୁ ନେଇ କ୍ରାଇମବ୍ରାଞ୍ଚ ଆଗରେ ନିଜ ଅସନ୍ତୋଷ ଉଗାରିଥିଲେ ସୌମ୍ୟଙ୍କ ପରିବାର ଲୋକ । ସୌମ୍ୟଙ୍କ ବାପାଙ୍କ କହିବା କଥା ଭିଡ଼ ଭିତରେ ପାଖାପାଖି ୩୦ରୁ ୪୦ଜଣ ମୋ ପୁଅକୁ ଆକ୍ରମଣ କରୁଥିବା ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଜୁଆଲରେ ଦେଖିବାକୁ ପାଉଛୁ । କିନ୍ତୁ ସେହି ଭିଡ଼ ଭିତରେ ପୋଲିସ ଥାଇ ମଧ୍ୟ ମୋ ପୁଅକୁ ବଞ୍ଚାଇବାକୁ କାହିଁକି ଚେଷ୍ଟା କରିନଥିଲେ । ଘଟଣାସ୍ଥଳରେ କିଛି ପୋଲିସ କର୍ମୀ ମଧ୍ୟ ସୌମ୍ୟଙ୍କ ହାତଗୋଡ଼ ବାନ୍ଧୁଥିବାରୁ ଦେଖିବାକୁ ମିଳୁଛି । ପୁଅର ହାତ ଗୋଡ଼ ବାନ୍ଧି ତାକୁ ପଶୁ ଭଳି ଗୋଟିଏ ମିନି ଟ୍ରକରେ ପକାଇ ହସ୍ପିଟାଲ ନିଆଯାଇଥିଲା । ପ୍ରକୃତରେ ସୌମ୍ୟଙ୍କ ମୃତ୍ୟୁ କେଉଁଠି ହୋଇଥିଲା ଆମେ ଜାଣିବାକୁ ଚାହୁଁଛୁ ବୋଲି କହିଥିଲେ ସୌମ୍ୟଙ୍କ ବାପା । ଘଟଣାସ୍ଥଳରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା ନା’ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା ନା’ ହସ୍ପିଟାଲରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ହୋଇଥିଲା ତା’ର ଉତ୍ତର ଆମକୁ ଦରକାର । ଯଦି ପୋଲିସ ହେପାଜତରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା ତାହେଲେ କାହିଁକ ସେହି ସମୟରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇନି ବୋଲି ସୌମ୍ୟଙ୍କ ପରିବାର ପ୍ରଶ୍ନ କରିଥିଲେ ।
ଏସବୁ ଭିତରେ ପୋଲିସ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି DGP । ରେସପନ୍ସ, ରେସକ୍ୟୁ ଏବଂ ରିଆକ୍ସନ ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ବାଲିଅନ୍ତାରେ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ବାନ୍ଧି ସାରିଛି ପୋଲିସ ।