ଆଉ ଖରାରେ ଭତ୍ତା ପାଇଁ ଆଉ ପଞ୍ଚାୟତ ଅଫିସ ଯିବାକୁ ପଡ଼ିବନାହିଁ,ବୃଦ୍ଧ ଓ ଅସହାୟଙ୍କୁ ଘରେ ଦିଆଯିବ ଭତ୍ତା ଟଙ୍କା

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଛନ୍ତି ଜରୁରୀ ନିର୍ଦ୍ଦେଶ । ଏଣିକି ଆଉ ଖରାରେ ଭତ୍ତା ପାଇଁ ଆଉ ପଞ୍ଚାୟତ ଅଫିସ ଯିବାକୁ ପଡ଼ିବନାହିଁ । ବୃଦ୍ଧ ଓ ଅସହାୟଙ୍କୁ ଘରେ ଦିଆଯିବ ଭତ୍ତା ଟଙ୍କା ।

ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ନେଇ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଦ୍ୱାରା ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ପଠାଯାଇଛି।ଏହି ଚିଠିରେ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିଅସ୍ ମଧ୍ୟରେ ପହଞ୍ଚିଥିବା ବେଳେ ଉପକୂଳ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ସହ ଗୁଳୁଗୁଳି ପରିସ୍ଥିତି ଗଭୀର ରୂପ ନେଇଛି। ଏହି ପରିସ୍ଥିତିରେ ପ୍ରତିମାସ ୧୫ ତାରିଖରେ ହେଉଥିବା ଭତ୍ତା ବଣ୍ଟନ ସମୟରେ ଲୋକମାନଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ସେମାନେ ଅଂଶୁଘାତ, ଡିହାଇଡ୍ରେସନ୍, ହିଟ୍ ଏକ୍ସହଷ୍ଟିଅନର ଶିକାର ହେବା ଆଶଙ୍କା ରହିଛି। ଏହିପରି ପରିସ୍ଥିତିରେ ସମସ୍ତ ଜିଲ୍ଲା ପ୍ରଶାସନକୁ ବଣ୍ଟନ କେନ୍ଦ୍ରରେ ପିଇବା ପାଣି, ORS ପ୍ୟାକେଟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି। ସେଥିସହିତ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଘରେ ଘରେ ଭତ୍ତା ପହଞ୍ଚାଇବାକୁ ବିଶେଷ ଭାବେ ନିର୍ଦ୍ଦେଶ ଦିଆଯାଇଛି।

Leave a comment