ଆସନ୍ତାକାଲି ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ। ଏଥିପାଇଁ ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ଏକ ବଡ ସମାବେଶ ଆୟୋଜିତ କରାଯାଉଛି। ଯୁବକମାନଙ୍କୁ ନେଇ ଏହି ନୂଆ ଦଳ ଆଗକୁ ବଢାଇବାକୁ ଯୋଜନା ହୋଇଛି । ବିଜେଡ଼ି କଂଗ୍ରେସର ବହୁ ନେତା ଓ ବିଧାୟକ ନିର୍ବାଚନ ସମୟରେ ଓଡିଶା ଜନତା କଂଗ୍ରେସରେ ଯୋଗ ଦବେ ବୋଲି ଏହାର ପ୍ରତିଷ୍ଠାତା ମହମ୍ମଦ ମୋକିମ୍ ଦାବି କରିଛନ୍ତି। ତେବେ ଆଗକୁ ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ବୋଲି ମୋକିମ ସୂଚନା ଦେଇଛନ୍ତି । ସେପଟେ ମୋକିମଙ୍କ ନୂଆ ଦଳକୁ ନେଇ ରାଜନୈତିକ ବୟାନବାଜି ବି ଦେଖିବାକୁ ମିଳିଛି ।
ରାଜ୍ୟରେ ଆଉ ଏକ ନୂଆ ରାଜନୈତିକ ଦଳର ନିଅଁ ପଡିବ । ଆସନ୍ତାକାଲି ବିଧିବଦ୍ଧ ଭାବେ ପୂର୍ବତନ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଓଡ଼ିଶା ଜନତା କଂଗ୍ରେସ ଗଢାଯିବ। ଏଥିପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ବଡ଼ ସମାବେଶର ଆୟୋଜନ ହୋଇଛି। ଆଜି ସଭାସ୍ଥଳ ପରିଦର୍ଶନ କରି ଆୟୋଜନ ବ୍ୟବସ୍ଥା ଦେଖିଛନ୍ତି ମୋକିମ୍। ରାଜ୍ୟର ଜେନ୍-ଜେଡ୍ ମାନେ ଏଥିରେ ସାମିଲ ହେବେବୋଲି କହିଛନ୍ତି ମୋକିମ୍ । ଅନେକ ବଡ଼ ବଡ଼ ନେତା ଓଡିଶା ଜନତା କଂଗ୍ରେସରେ ମିଶିବାକୁ ତାଙ୍କ ସମ୍ପର୍କରେ ରହିଛନ୍ତି ବୋଲି ମୋକିମ୍ ଦାବି କରିଛନ୍ତି ।
ସେ କହିଛନ୍ତି ନିର୍ବାଚନ ପୂର୍ବରୁ ବିଜେଡି, କଂଗ୍ରେସର ବହୁ ବଡ ନେତା ନୂଆ ଦଳରେ ସାମିଲ ହେବେ।ଏପରିକି ବିଜେଡି ଓ କଂଗ୍ରେସର କିଛି ବିଧାୟକ ମାନେ ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି କହିଛନ୍ତି ମୋକିମ୍ । ଅନ୍ୟଦଳର ବିଧାୟକମାନେ ଏବେ ମିଶିଲେ ସଭ୍ୟ ପଦ ରଦ୍ଦ ହେବ । ସେଥିପାଇଁ ନିର୍ବାଚନ ପୂର୍ବରୁ ସେମାନେ ମିଶିବେ ବୋଲି ମୋକିମ କହିଛନ୍ତି। ଓଡିଶା ଜନତା କଂଗ୍ରେସ ରାଜ୍ୟରେ ଏକ ବିକଳ୍ପ ଦଳ ଭାବେ ନୂଆ ପରିଚୟ ସୃଷ୍ଟି କରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ତେବେ ଆଗକୁ ତାଙ୍କ ଝିଅ ସୋଫିଆ ଫିର୍ଦୋଷ ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ବୋଲି ମୋକିମ ସୂଚନା ଦେଇଛନ୍ତି ।
ଏସବୁ ଭିତରେ ମେ ୪ ତାରିଖରେ ପିସିସି ସଭାପତିଙ୍କ ଗଡ ଭବାନୀପାଟଣାରେ ବଡ ସମାବେଶ କରିବାକୁ ଲକ୍ଷ ରଖିଛନ୍ତି ମୋକିମ ।ସେପଟେ ଓଡିଶା ଜନତା କଂଗ୍ରେସ, କଂଗ୍ରେସ ଉପରେ କୈଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛି ଦଳ । ବିଜେଡିର ଆକଳନ, ପୂର୍ବରୁ ଅନେକ ଦଳ ସୃଷ୍ଟି ହୋଇଥିଲା ସେମାନଙ୍କର ଆଉ ଅସ୍ତିତ୍ବ ନାହିଁ । ଏବେ ନୂଆ ଦଳ କେତେ ଆଗକୁ ବଢିବ ତାହା ଦେଖିବାକୁ ପଡିବ । ସେପଟେ ବିଜେପି କହିଛି ରାଜନୈତିକ ଦଳ କରିବାକୁ କାହାକୁ ମନା ନାହିଁ | ଭବିଷ୍ୟତ ନିର୍ଦ୍ଧାରଣ କରିବ, କଣ ହେବ କଣ ନ ହେବ |
ସେପଟେ ମୋକିମଙ୍କ ଜନତା କଂଗ୍ରେସ କାହାକୁ ଟକ୍କର ଦେବ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏହା ବିଜେଡି ଓ କଂଗ୍ରେସର ଭୋଟଭାଗ କରିବ ନା ବିଜେପିର ବି-ଟିମ୍ ଭାବେ କାମ କରିବ ତାକୁ ନେଇ ଆଲୋଚନା ଚାଲିଛି । ଓଡିଶା ଜନତା କଂଗ୍ରେସ ବ୍ୟତୀତ ଆଉ ଏକ ରାଜନୈତିକ ଦଳ ମଧ୍ୟ ମାର୍ଚ୍ଚ ୧୭ ପରେ ଜନ୍ମ ନେବାକୁ ଯାଉଛି । ବିଜୁ ଲିଗାସୀ ନେତାଙ୍କୁ ନେଇ ଓଡିଶାରେ ଆଉ ଏକ ନୂଆ ଆଞ୍ଚଳିକ ଦଳ ମୁଣ୍ଡ ଟେକିବ ବୋଲି ଚର୍ଚ୍ଚା ହେଉଛି ।