କୋଭିଡ୍ ଟୀକା ଯୋଗୁଁ କିମ୍ବଦନ୍ତି ସ୍ପିନର୍ ସେନ୍ ଓ୍ବାର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କଲେ ପୁଅ ଜାକ୍ସନ୍ ଓ୍ବାର୍ଣ୍ଣ
କିମ୍ବଦନ୍ତି ସ୍ପିନର୍ ସେନ୍ ଓ୍ବାର୍ଣ୍ଣଙ୍କ ମୃତ୍ୟୁର ଚାରି ବର୍ଷ ପରେ ତାଙ୍କ ପୁଅ ଜାକ୍ସନ୍ ଓ୍ବାର୍ଣ୍ଣ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। କୋଭିଡ୍ ଟୀକା ଯୋଗୁଁ ତାଙ୍କ ପିତାଙ୍କର ଅସମୟ ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି।ଏକ ପଡ୍କାଷ୍ଟରେ ସେ କହିଛନ୍ତି ଯେ ତାଙ୍କ ପିତା ବାଧ୍ୟତାମୂଳକଭାବେ ନେଇଥିବା ତିନିରୁ ଚାରିଟି କୋଭିଡ୍ ଟୀକା ତାଙ୍କ ହୃଦ୍ଘାତ ପଛର କାରଣ ଥାଇପାରେ। ତେବେ ସେ ସ୍ବୀକାର କରିଛନ୍ତି ଯେ ତାଙ୍କ ପିତାଙ୍କର ପୂର୍ବରୁ କେତେକ ଶାରୀରିକ ସମସ୍ୟା ଥିଲା। କିନ୍ତୁ ଟୀକା ନେବା ଫଳରେ ତାଙ୍କର ସମସ୍ୟା ବାହାରକୁ ଆସିଥିଲା। ‘‘ମୁଁ ଯେତେବେଳେ ତାଙ୍କ ମୃତ୍ୟୁର ଖବର ପାଇଲି, ମୁୁଁ ତୁରନ୍ତ ସରକାର ଓ କୋଭିଡ୍ ଟୀକାକୁ ଦାୟୀ କରିଥିଲି। ସେ ଟୀକା ନେବାକୁ ଚାହୁଁନଥିଲେ, କିନ୍ତୁ କାମ ପାଇଁ ସେ ବାଧ୍ୟ ହୋଇ ୩-୪ଟି ଟୀକା ନେଇଥିଲେ। ପିତାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବି ମୁଁ ଏକଥା କହିବାରୁ ନିଜକୁ ରୋକି ପାରିନଥିଲି’’ ଜାକ୍ସନ୍ କହିଛନ୍ତି।୨୦୨୨ରେ ଥାଇଲାଣ୍ଡ୍ରେ ଥିବାବେଳେ ସେନ୍ ଓ୍ବାର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ହୃଦ୍ଘାତ ବୋଲି କୁହାଯାଇଥିଲା। ଏହାର ବର୍ଷକ ପୂର୍ବରୁ ୨୦୨୧ରେ ସେ କୋଭିଡ୍ ଆକ୍ରାନ୍ତ ହୋଇଥିଲେ।