ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
ବିଡିଏର ବଡ଼ ଡ୍ରାଇଭ୍ । ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ । ଭଙ୍ଗାଯାଉଛି ଶତାଧିକ ଘର। ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ । ଗତକାଲି ଶହ ଶହ ଘର ଭଙ୍ଗାଯାଇଥିଲା । ଉଚ୍ଛେଦ ବେଳେ ପୋଲିସକୁ ବିରୋଧ କରିଥିଲେ ଜବରଦଖଲକାରୀ । ସମୁଦାୟ ୬୮ ଏକର ଜମିରେ ଜବର ଦଖଲ ଗଢ଼ି ଉଠିଥିବାବେଳେ ଆଜି ୧୫ ଏକର ଜମି ଉପରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ସମ୍ପୂର୍ଣ୍ଣ ଉଛେଦ ପରେ ବିଡ଼ିଏ ଓ ଅନ୍ୟ ସରକାରୀ ସ୍କିମ ଗୁଡ଼ିକ ପାଇଁ ଜମି ବ୍ୟବହାର କରିବେ ସରକାର । ଆସନ୍ତା କାଲି ମଧ୍ୟ ଉଚ୍ଛେଦ ଜାରି ରହିବ ।
ସୂଚନା ଅନୁସାରେ ଗତକାଲି ବି ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁରରେ ଚାଲିଥିଲା ଉଚ୍ଛେଦ । ସରକାରୀ ଜମିରେ ଜବରଦଖଲ କରି ରହିଥିବା ଲୋକମାନଙ୍କୁ ଉଚ୍ଛେଦ କରାଯାଉଥିଲା । ବିଡିଏ ପକ୍ଷରୁ ଚାଲିଥିବା ଏହି ଉଚ୍ଛେଦ କାମରେ ବୁଲ୍ଡୋଜର ନିୟୋଜିତ କରାଯାଇଥିଲା । ଏହି ଉଚ୍ଛେଦକୁ ଅନେକ ଲୋକ ବିରୋଧ କରୁଥିଲେ । ଏପିରିକି କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଶେଷରେ ବିଡିଏ ପକ୍ଷରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା ଏବଂ ଆରମ୍ଭ ହୋଇଥିଲା ଉଚ୍ଛେଦ ପ୍ରକ୍ରିୟା । ତେବେ ଏହି ଉଚ୍ଛେଦ ସମୟରେ ବିଡିଏ ଅଧିକାରୀଙ୍କୁ ଜଣଙ୍କ ଘରୁ ଅନେକ ଗ୍ୟାସ୍ ସିଲିଣ୍ଡର ମିଳିଥିଲା । ଗ୍ୟାସ୍ ସିଲିଣ୍ଡର ସଂପର୍କରେ ଘର ମାଲିକଙ୍କୁ ପଚାରିବାରୁ, ସେ ଜବତ ସିଲିଣ୍ଡର ସଂପର୍କରେ ସଠିକ୍ ଉତ୍ତର ଦେଇନଥିଲେ। ଜବତ ହୋଇଥିବା ସିଲିଣ୍ଡର ମଧ୍ୟରେ କେତେକ ୧୪ କେଜିଆ ରହିଥିବା ବେଳେ ଅନେକ ୫କେଜିଆ ରହିଥିଲା ।