ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର

କେନ୍ଦ୍ର କ୍ୟାବିନେଟ୍‌ ଆଜି ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରି ଦେଇଛି। ଏହା ଫଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ‌ଭୋଗୀମାନେ ୬୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଜାନୁଆରି ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀମାନେ ଏବେ ୫୮ ପ୍ରତିଶତ ମହଙ୍ଗାଭତ୍ତା ପାଉଛନ୍ତି।ଗତବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ଘୋଷଣା କରିବା ସହ ଗତବର୍ଷ ଜୁଲାଇରୁ ପିଛିଲା ଭାବେ ଲାଗୁ କରିଥିଲେ। ଏଥିଯୋଗୁ କର୍ମଚାରୀ ଓ ପେନସନଭୋଗୀମାନେ ୫୮ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ମହଙ୍ଗାଭତ୍ତି ବୃଦ୍ଧି ଫଳରେ କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ବାର୍ଷିକ ୬୭୯୧ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ତେବେ ଏହାଦ୍ବାରା କେନ୍ଦ୍ର ସରକାରଙ୍କ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ ବୋଲି କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।ଉଲ୍ଲେଖଯୋଗ୍ୟ ଅଷ୍ଟମ ବେତନ କମିସନ ଶୀଘ୍ର ଲାଗୁ କରିବା ସହିତ ଏଥିରେ କେତେକ ବଡ଼ଧରଣର ପରିବର୍ତ୍ତନ ପାଇଁ କର୍ମଚାରୀ ସଂଘଗୁଡ଼ିକ ଦାବି କରୁଛନ୍ତି। କେନ୍ଦ୍ର ସରକାରଙ୍କୁ ନ୍ୟାସନାଲ କାଉନସିଲ-ଜଏଣ୍ଟ କନସଲଟେଟିଭ ମେସିନେରି (ଏନସି-ଜେସିଏମ) ଦେଇଥିବା ଦାବିପତ୍ରରେ ଫିଟ୍‌ମେଣ୍ଟ ଫ୍ୟାକ୍ଟର ୩.୮୩ ରଖିବାକୁ ଦାବି କରି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରି ମାସର ମହଙ୍ଗାଭତ୍ତା କେନ୍ଦ୍ର ସରକାର ସାଧାରଣତଃ ମାର୍ଚ୍ଚ ମାସରେ ଘୋଷଣା କରିଥାନ୍ତି। କିନ୍ତୁ ଏଥର ଏହି ଘୋଷଣା ବିଳମ୍ବ ହୋଇଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା।

 

Leave a comment