ଟ୍ରାଇ ସିରିଜ୍ : ଶ୍ରୀଲଙ୍କା ଏ କୁ ୬୬ ରନରେ ପରାସ୍ତ କରି ସିରିଜ ଜିତିଲା ଇଣ୍ଡିଆ
ଟ୍ରାଇ ସିରିଜ୍ ଫାଇନାଲରେ ଶ୍ରୀଲଙ୍କା ଏ କୁ ୬୬ ରନରେ ପରାସ୍ତ କରିଛି ଇଣ୍ଡିଆ ଏ । ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ ଇନିଂସ ବଳରେ ପ୍ରଥମେ ଭାରତ ୯ ୱିକେଟ ହରାଇ ୩୭୭ ରନର ଟାର୍ଗେଟ ଦେଇଥିଲା । ବୈଭବଙ୍କ ୨୯ ବଲରେ ୯୪ ରନ୍ କରି ଆରମ୍ଭରୁ ହିଁ ଭାରତର ପଲା ଭାରି କରିଥିଲେ । ଏହାର ଜବାବରେ ଶ୍ରୀଲଙ୍କା ଟିମ୍ ୪୭.୧ ଓଭରରେ ୩୧୧ ରନରେ ସୀମିତ ରହିଥିଲା । ଭାରତ ପାଇଁ ୟଶ ଠାକୁର ଏବଂ ବିପରାଜ ନିଗମ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଭାରତର ପ୍ରଥମ ୱିକେଟ୍ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟ (୩୯)ଙ୍କ ମଧ୍ୟରେ ୧୩୨ ରନର ଓପନିଂ ପାର୍ଟନରସିପ୍ ହୋଇଥିଲା । ସୂର୍ଯ୍ୟବଂଶୀଙ୍କ ଆଉଟ୍ ପରେ, ଅଧିନାୟକ ତିଲକ ବର୍ମା ୯୦ ବଲରେ ୬୭ ରନ୍ ଖେଳି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ଋତୁରାଜ ଗାଏକୱାଡ ୪୦ ରନ୍ କରିଥିଲେ ।
୩୭୮ ରନର ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ଏ’ର ଆରମ୍ଭ ଖରାପ ହୋଇଥିଲା । ଶ୍ରୀଲଙ୍କା ପ୍ରଥମ ୧୦ ଓଭରରେ ତିନି ବ୍ୟାଟରଙ୍କୁ ହରାଇଥିଲା । ସାଦିରା ସମରବିକ୍ରମା (୫୨), ଭାନୁଜ ସହାନ (୬୨) ଏବଂ ଅଧିନାୟକ ସହାନ ଆରାଚିଗେ (୩୮) ଲଢ଼ୁଆ ଇନିଂସ ଖେଳିଥିଲେ । ଶେଷରେ ପୂରା ଟିମ୍ ୩୧୧ ରନରେ ଅଲଆଉଟ୍ ହୋଇଥିଲା ।