ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି ବିବିସି

ବିବିସି ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। ଏହା ଜରିଆ‌ରେ କମ୍ପାନି ବାର୍ଷିକ ୧୦ ପ୍ରତିଶତ ସଞ୍ଚୟ କରିବାକୁ ଚାହୁଛି। ବ୍ରିଟେନ୍‌ର ଏହି ପ୍ରସାରଣକାରୀ ସଂସ୍ଥାର ଏହା ହେଉଛି ଅନ୍ୟତମ ସର୍ବବୃହତ୍‌ ଛଟେଇ। ଏକ ଇମେଲ୍‌ ଜରିଆରେ କର୍ମଚାରୀମାନଙ୍କୁ ଯୋଜନା ସମ୍ପର୍କରେ ଅବଗତ କରି କମ୍ପାନିର ଅନ୍ତରୀଣ ଡିଜି ରୋଡ୍ରି ଟଲଫାନ୍‌ ଡେଭିସ୍‌ କହିଛନ୍ତି ଯେ ମୁଁ ଜାଣେ ଏହା ପ୍ରକୃତରେ ଅନିଶ୍ଚିତତା ସୃଷ୍ଟି କରିବ। କିନ୍ତୁ ଆମେ ସେହି ଆହ୍ବାନକୁ ସାମନା କରିବାକୁ ଚାହୁଛୁ। ମୁଦ୍ରାସ୍ଫୀତି ହାରରେ ବୃଦ୍ଧି, ଲାଇସେନ୍ସ ଫି ଚାପ, ବାଣିଜ୍ୟିକ ଆୟ ଓ ବିଶ୍ବ ଅର୍ଥନୀତିରେ ଦେଖାଦେଇଥିବା ଅନିଶ୍ଚିତତା ପ୍ରଭାବରେ କମ୍ପାନି ଏଭଳି କଠୋର ପଦକ୍ଷେପ ନେବାକୁ ଯାଉଛି ବୋଲି ସେ କହିଛନ୍ତି।୨୦୨୯ ସୁଦ୍ଧା ବାର୍ଷିକ ବଜେଟ୍‌ରେ ଏକ ଦଶମାଂଶ ହ୍ରାସ କରିବାର ଯୋଜନା ସମ୍ପର୍କରେ ବିବିସି ବହୁ ପୂର୍ବରୁ ଘୋଷଣା କରିଥିଲା। ଏଥର କମ୍ପାନି ଯେଉଁ ଛଟେଇ କରିବ ସେହି ପ୍ରକ୍ରିୟା ୨୦୨୭ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ। ବିବିସିକୁ ୨୪୪ ଡଲାରର ବାର୍ଷିକ ଲାଇସେନ୍ସ ଫି ଦେବାକୁ ପଡ଼ୁଛି। ବ୍ରିଟେନର ସବୁ ନାଗରିକ ଟିଭିରେ ସିଧା ପ୍ରସାରଣ କିମ୍ବା ବିବିସିର ସୋ ଦେଖିବା ପାଇଁ ସେହି ଅର୍ଥରାଶି ଦେଉଛନ୍ତି। ବର୍ତ୍ତମାନ ସମୟରେ ବ୍ରିଟେନର ଅଧିକାଂଶ ଘରେ ଟିଭି ନାହିଁ। ବହୁ ଲୋକ ପାରମ୍ପରିକ ଢାଞ୍ଚାରେ ଟିଭି ଦେଖିବାକୁ ଚାହୁନାହାନ୍ତି।ଅନ୍ୟ ପକ୍ଷରେ ପ୍ରତିଦ୍ବନ୍ଦ୍ବୀ ସଂସ୍ଥାଗୁଡ଼ିକ ଡିଜିଟାଲ୍‌ ଜଗତରେ ବେଶ୍‌ ସକ୍ରିୟ ହେବା ସହ ବହୁ ଆଗକୁ ବଢ଼ିଛନ୍ତି। ବର୍ତ୍ତମାନର ବ୍ରିଟେନ ସରକାର ବିବିସିର ପାଣ୍ଠିକୁ ସ୍ଥାୟୀ ରଖିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ୧୯୨୨ରେ ଏକ ରେଡିଓ ସେବା ଭାବେ ବିବିସି ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଅଧୀନରେ ବ୍ରିଟେନର ୧୫ଟି ଜାତୀୟ ଓ ଆଞ୍ଚଳିକ ଟିଭି ଚ୍ୟାନେଲ୍, ଏକାଧିକ ଅନ୍ତର୍ଜାତୀୟ ଚ୍ୟାନେଲ୍, ୧୦ ଜାତୀୟ ରେଡିଓ ଷ୍ଟେସନ, ଡଜନରୁ ଅଧିକ ଆଞ୍ଚଳିକ ରେଡିଓ ଷ୍ଟେସନ୍‌, ବିଶ୍ବ ରେଡିଓ ସେବା, ଡିଜିଟାଲ ସେବା ଓ ଆଇପ୍ଲେୟାର ଷ୍ଟ୍ରିମିଂ ସେବା ରହିଛି।

Leave a comment