ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଚୀନ
ନିକଟରେ ଶେଷ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଭାବେ ଚୀନ ଉଭା ହୋଇଛି। ଏଥି ସହିତ ଦୀର୍ଘ ଚାରି ବର୍ଷ ଧରି ଶୀର୍ଷ ସ୍ଥାନରେ ଥିବା ଆମେରିକା ତଳକୁ ଖସିଯାଇଛି। ଭାରତ ଓ ଚୀନ ମଧ୍ୟରେ ଏହି ଆର୍ଥିକ ବର୍ଷରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୧୫,୧୧୦ କୋଟି ଡଲାର ଥିଲା। ଏହି ଏଥିରୁ ଚୀନରୁ ସର୍ବାଧିକ ଲାଭ ମିଳିଛି। କାରଣ ଭାରତ ଅନେକ ଜିନିଷ ଚୀନରୁ ମଗାଇଥିବା ବେଳେ ବହୁତ କମ ଜିନିଷ ପଠାଇଛି। ସେଥିପାଇଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ପରିମାଣ ୧୧,୨୧୬ କୋଟି ଡଲାର ରହିଛି।୨୦୨୪-୨୫ରେ ଏହି ନିଅଣ୍ଟ ୯୯୨୦ କୋଟି ଡଲାର ଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ଚୀନକୁ ଭାରତର ରପ୍ତାନି ୩୬.୬୬ ପ୍ରତିଶତ ବୃଦ୍ଧି ପାଇ ୧୯୪୭ କୋଟି ଡଲାରକୁ ବୃଦ୍ଧି ପାଇଛି। ଆମଦାନି ପରିମାଣ ୧୬ ପ୍ରତିଶତ ବଢ଼ି ୧୩,୧୬୩ କୋଟି ଡଲାର ହୋଇଛି। ତେବେ ଆମେରିକାକୁ ଭାରତର ରପ୍ତାନି ୦.୯୨ ପ୍ରତିଶତ ବୃଦ୍ଧି ପାଇ ୮୭୩୦ କୋଟି ଡଲାର ହୋଇଛି ଓ ଆମଦାନି ପରିମାଣ ୧୫.୯୫ ପ୍ରତିଶତ ବୃଦ୍ଧି ପାଇ ୫୨୯୦ କୋଟି ଡଲାର ରହିଛି। ଫଳରେ ଆମେରିକା ସହ ଭାରତର ବାଣିଜ୍ୟ ବଳକା ୩୪୪୦ କୋଟି ଡଲାର ହୋଇଛି। ପୂର୍ବବର୍ଷ ବାଣିଜ୍ୟ ବଳକା ପରିମାଣ ୪୦୮୯ କୋଟି ଡଲାର ଥିଲା।
ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୩-୧୪ରୁ ୨୦୧୭-୧୮ ପର୍ଯ୍ୟନ୍ତ ଚୀନ ଭାରତର ଏକ ନମ୍ବର ବାଣିଜ୍ୟ ସହଯୋଗୀ ଥିଲା। ୨୦୨୦-୨୧ରେ ପୁଣି ଥରେ ଚୀନ ସେହି ସ୍ଥାନକୁ ଫେରିଥିଲା। ଚୀନ ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭାରତର ଏକ ନମ୍ବର ବାଣିଜ୍ୟ ସହଯୋଗୀ ଥିଲା। ୨୦୨୧-୨୨ ପରଠାରୁ ଆମେରିକା ଭାରତର ଏକ ନମ୍ବର ବାଣିଜ୍ୟ ସହଯୋଗୀ ହୋଇରହିଥିଲା। ତେବେ ୨୦୨୫-୨୬ରେ ନେଦରଲ୍ୟାଣ୍ଡ୍ସ, ବ୍ରିଟେନ, ସିଙ୍ଗାପୁର, ବାଂଲାଦେଶ, ସାଉଦି ଆରବ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଓ ମାଲେସିଆକୁ ଭାରତର ରପ୍ତାନି ହ୍ରାସ ପାଇଥିଲା।
ତେବେ ସେହି ସମୟରେ ୟୁଏଇ, ଜର୍ମାନୀ, ହଂକଂ, ଇଟାଲୀ, ନେପାଳ, ବ୍ରାଜିଲ, ସ୍ପେନ, ବେଲଜିୟମ ଓ ଭିଏତନାମକୁ ରପ୍ତାନି ବଢ଼ିଥିଲା। ଏହି ବର୍ଷ ରୁଷ, ଇରାକ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, କତର ଓ ତାଇୱାନରୁ ଆମଦାନି ହ୍ରାସ ପାଇଥିଲା। କିନ୍ତୁ ୟୁଏଇ, ସାଉଦି ଆରବ, ହଂକ, ସ୍ବିଜରଲ୍ୟାଣ୍ଡ, ସିଙ୍ଗାପୁର, ଜାପାନ, କୋରିଆ, ଜର୍ମାନୀ, ଥାଇଲ୍ୟାଣ୍ଡ ଓ ମାଲେସିଆରୁ ଆମଦାନି ବଢ଼ିଥିଲା ବୋଲି ବାଣିଜ୍ୟ ମନ୍ତ୍ରଣଳୟ ତଥ୍ୟରୁ ଜଣାପଡ଼ିଛି।