ଘରେ କିପରି ତରଭୁଜର ଶୁଦ୍ଧତା ପରୀକ୍ଷା କରିପାରିବେ, ସେଥିପାଇଁ କିଛି ସହଜ ଉପାୟ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ୫ ଅସୁସ୍ଥ ହୋଇ ପଡ଼ିଥିଲେ । ଅସୁସ୍ଥ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଜଣେ ନାବାଳକଙ୍କର କଟକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ମୁମ୍ବାଇରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଗୋଟିଏ ପରିବାରର ୪ ସଦସ୍ୟ ବିରିୟାନୀ ପରେ ତରଭୁଜ ଖାଇବା ଦ୍ବାରା ସେମାନଙ୍କର ମୃତ୍ୟୁ ହୋଇଥିଲା । ଏବେ ପ୍ରଶ୍ନ, ଖରାଦିନେ ପ୍ରାୟ ସମସ୍ତଙ୍କ ପସନ୍ଦ ତରଭୁଜ, ସତରେ କଣ ଜୀବନ ନେଉଛି ? ନା ଅପମିଶ୍ରିତ ତରଭୁଜ ଜୀବନହାନୀର କାରଣ ? ତରଭୁଜରେ ବିଷାକ୍ତ ପଦାର୍ଥ ମିଶିଛି ବୋଲି ଜାଣିବେ କିପରି ?
ତରଭୁଜକୁ ଅଧିକ ଲାଲ୍ ଏବଂ ମିଠା କରିବା ପାଇଁ ଅନେକ ସମୟରେ ଅସାଧୁ ବ୍ୟବସାୟୀମାନେ ଏଥିରେ ଇରିଥ୍ରୋସିନ୍ (Erythrosine) ଭଳି କୃତ୍ରିମ ରଙ୍ଗ ଏବଂ କ୍ୟାଲସିୟମ କାରବାଇଡ୍ ଭଳି କେମିକାଲ୍ ଇଞ୍ଜେକ୍ଟ କରିଥାନ୍ତି । ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଘରେ ବସି ଆପଣ କିପରି ତରଭୁଜର ଶୁଦ୍ଧତା ପରୀକ୍ଷା କରିପାରିବେ, ସେଥିପାଇଁ କିଛି ସହଜ ଉପାୟ ରହିଛି ।
କଟନ୍ ବଲ ଟେଷ୍ଟ (Cotton Ball Test)
ଏହା ସବୁଠାରୁ ସହଜ ଉପାୟ। ତରଭୁଜକୁ ଦୁଇ ଭାଗ କରି କାଟି ଦିଅନ୍ତୁ। ଏକ ସଫା ଧଳା କପା (Cotton Ball) କିମ୍ବା ଧଳା ରୁମାଲ୍ ନିଅନ୍ତୁ। ତରଭୁଜର ଲାଲ୍ ଅଂଶ ଉପରେ ଏହି କପଡ଼ାକୁ ନେଇ ହାଲୁକା ଭାବେ ଘଷନ୍ତୁ। ଯଦି ଧଳା କପଡ଼ାଟି ତୁରନ୍ତ ଗାଢ଼ ଲାଲ୍ ହୋଇଯାଏ, ତେବେ ବୁଝିଯାଆନ୍ତୁ ଏଥିରେ କୃତ୍ରିମ ରଙ୍ଗ (Artificial Dye) ମିଶାଯାଇଛି। ପ୍ରାକୃତିକ ତରଭୁଜରେ କପଡ଼ାଟି କେବଳ ସାମାନ୍ୟ ଓଦା ହେବ କିମ୍ବା ବହୁତ ହାଲୁକା ଗୋଲାପି ଦେଖାଯିବ।
ଜଳ ପରୀକ୍ଷା (Water Test)
ତରଭୁଜର ଏକ ଛୋଟ ଲାଲ୍ ଖଣ୍ଡ କାଟି ନିଅନ୍ତୁ। ଏକ ଗ୍ଲାସ୍ ପାଣିରେ ଏହି ଖଣ୍ଡକୁ ପକାଇ ୫ ରୁ ୧୦ ମିନିଟ୍ ଛାଡି ଦିଅନ୍ତୁ। ଯଦି ପାଣିର ରଙ୍ଗ ତୁରନ୍ତ ଗାଢ଼ ଗୋଲାପି କିମ୍ବା ଲାଲ୍ ହୋଇଯାଏ, ତେବେ ଏଥିରେ କେମିକାଲ୍ ମିଶିଛି। ଅସଲି ତରଭୁଜରେ ପାଣିର ରଙ୍ଗ ଶୀଘ୍ର ବଦଳେ ନାହିଁ।
ଧଳା ଭିନେଗାର୍ ପରୀକ୍ଷା (White Vinegar Test)
ତରଭୁଜର ଏକ ଛୋଟ ଅଂଶ କାଟି ଏକ ପାତ୍ରରେ ରଖନ୍ତୁ। ସେଥିରେ କିଛି ଟୋପା ଧଳା ଭିନେଗାର୍ (White Vinegar) ପକାନ୍ତୁ। ଯଦି ଭିନେଗାର୍ ପକାଇବା ମାତ୍ରେ ସେହି ସ୍ଥାନରୁ ଫେଣ ବାହାରେ କିମ୍ବା ରଙ୍ଗ ଅଲଗା ହୋଇଯାଏ, ତେବେ ଏହା କୃତ୍ରିମ କେମିକାଲ୍ର ଉପସ୍ଥିତିକୁ ସୂଚାଏ।
ତରଭୁଜ କିଣିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ଯଦି ତରଭୁଜ ଉପରେ କିଛି ଧଳା ପାଉଡର ଭଳି ପଦାର୍ଥ ଲାଗିଥାଏ, ତେବେ ଏହା କ୍ୟାଲସିୟମ କାରବାଇଡ୍ ହୋଇପାରେ। ଏହାକୁ ଭଲ ଭାବେ ନଧୋଇ କାଟନ୍ତୁ ନାହିଁ। ତରଭୁଜ ଉପରେ ଯଦି କୌଣସି ଛୋଟ କଣା କିମ୍ବା ଇଞ୍ଜେକ୍ସନ ଦିଆଯାଇଥିବା ଚିହ୍ନ ଥାଏ, ତେବେ ସେଭଳି ତରଭୁଜ କିଣନ୍ତୁ ନାହିଁ। ଯଦି ତରଭୁଜର ମଝି ଅଂଶ ଅତ୍ୟଧିକ ଲାଲ୍ କିନ୍ତୁ ମଞ୍ଜିଗୁଡ଼ିକ ଧଳା ହୋଇଥାଏ, ତେବେ ଏହା କେମିକାଲ୍ ଦ୍ୱାରା ପାଚିଥାଇପାରେ । କେମିକାଲ୍ ମିଶା ତରଭୁଜ ଖାଇବାକୁ ବହୁତ ମିଠା ଲାଗିପାରେ କିନ୍ତୁ ଏହାର ଏକ ଅଜବ ରାସାୟନିକ ଗନ୍ଧ ଥାଏ।
ସତର୍କତା
ତରଭୁଜ କାଟିବା ପୂର୍ବରୁ ଅତିକମରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ, ଯାହାଫଳରେ ଉପରେ ଥିବା କୀଟନାଶକ କିମ୍ବା କେମିକାଲ୍ ସଫା ହୋଇଯିବ।